କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନଘନ ବୈଠକ କରୁଛନ୍ତି ଭାରତ ସରକାର । ଗତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବାବେଳେ ଆଜି ପୁଣି ବଡ଼ ବୈଠକ ହୋଇଛି । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭେଟିବେ ବୋଲି ଜଣାପଡ଼ିଛି । ପହଲଗାମ, ବୈସାରଣ ଭ୍ୟାଲି ଆକ୍ରମଣ ତଦନ୍ତରେ ମିଳୁଥିବା ବଡ଼ ବଡ଼ ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ।

Advertisment

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଆକ୍ରମଣର ୫ ଦିନ ପୂର୍ବରୁ ବୈସାରଣ ଭ୍ୟାଲି ଉପରେ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ ଜରିଆରେ ଆକ୍ରମଣର ରେକି କରିଥିଲେ ଆତଙ୍କୀ ବୋଲି ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହାସହ ଆତଙ୍କୀ ୨୨ ଘଣ୍ଟା ଧରି ପାହଡ଼ି ରାସ୍ତାରେ ଚାଲି ଚାଲି ବୈସାରଣ ଭ୍ୟାଲିରେ ପହଞ୍ଚିଥିବା ବି ଜଣାପଡିଛି । ସେପଟେ ସୀମାରେ ଏବେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି । ଚତୁର୍ଥ ଦିନରେ ଏଲଓସିରେ ଫାୟାରିଂ କରିଛନ୍ତି ପାକ୍ ସେନା । ପଡୋଶୀ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।  

ସେପଟେ, ପହଲଗାମ୍ ଆତଙ୍କୀ ଆକ୍ରମଣର ଅପରାଧୀଙ୍କୁ ଧରିବାକୁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । କାଶ୍ମୀରର ୧୫ ଜଣ ଆତଙ୍କବାଦୀଙ୍କୁ ଏଭଳି ଘୃଣ୍ୟ ଓ ବର୍ବରକାଣ୍ଡ ଘଟାଇବାରେ ଯେଉଁମାନେ ସହାୟତା କରିଥିଲେ ସେମାନଙ୍କୁ ଚିହ୍ନଟ ସରିଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ଏମାନେ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ଏପରିକି ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଏମାନେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇଥିଲେ ।

ଏହି ୧୫ ଆତଙ୍କୀ ସହାୟକଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୂମିକା ନେଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇ ଅଟକ ରଖାଯାଇଛି । ଅନ୍ୟ ୨ ଜଣଙ୍କୁ ଖୋଜା ଚାଲିଛି । ଅନ୍ୟପଟେ ଆତଙ୍କୀ ଆକ୍ରମଣ କରିଥିବା ୫ ଆତଙ୍କୀଙ୍କୁ ଖୋଜାଚାଲିଛି । ପହଲଗାମର ଘଞ୍ଚ ଜଙ୍ଗଲରେ ଏବେ ବି ସେମାନେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଋଷ ଓ ଚୀନର ହସ୍ତକ୍ଷେପ ଲୋଡ଼ିଛି ପାକିସ୍ତାନ । ଆତଙ୍କୀ ଆକ୍ରମଣର ତଦନ୍ତରେ ଋଷ, ଚୀନ୍ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସହାୟତା ଲୋଡ଼ିଛି ପାକିସ୍ତାନ ।