କନକ ବ୍ୟୁରୋ : ରାଜନଗର ବିଡିଓଙ୍କୁ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ ଘଟଣା ଥମିବାର ନାଁ ନେଉନି । ଆଜି ରାଜନଗର ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ । ଓଏଏସ୍ ସଂଘ ବି କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍ ଧରିଛି । ବ୍ଲକରେ କାର୍ଯ୍ୟବନ୍ଦ କରିଛନ୍ତି ଅଧିକାରୀ । ଫଳରେ ରାଜନଗର ବ୍ଲକରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ଘଟଣାରେ ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଜେପି ନେତା ଲଳିତ ବେହେରାଙ୍କ ନାଁରେ ଏତଲା ଦେଇଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ସମ୍ପୃକ୍ତ ବିଜେପି ନେତା ଲଳିତ ବେହେରା । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । 

Advertisment

ସେପଟେ ରାଜନଗର ବିଡିଓ ଛୁଟିରେ ଯାଇଛନ୍ତି । ଏ ସମ୍ପର୍କରେ ଲିଖିତ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ବିଡିଓ । ବିଜେପି ନେତା ଲଳିତ କୁମାର ବେହେରାଙ୍କ ନେତୃତ୍ଵରେ ୩୦ରୁ ଅଧିକ ବିଜେପି କର୍ମୀ ଗତ ୨ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ କାର୍ଯ୍ୟାଳୟରେ ପଶି ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ । ବିଡିଓ ମନା କରିବାରୁ ପ୍ରଥମେ ଲଳିତଙ୍କ ସହ ଯାଇଥିବା କର୍ମୀମାନେ ଦୁର୍ବ୍ୟବହାର କରିଥିଲେ । ବିଡିଓ ଏହାର ପ୍ରତିବାଦ କରିବାରୁ ବିଜେପି ନେତା ଲଳିତ ବିଡିଓ ସରକାରୀ କାମ କରୁଥିବା ଲାପ୍‌ଟପ୍‌କୁ ଟାଣି ଆଣି ତାଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ । 

ଅଧିକ ପଢ଼ନ୍ତୁ---ମହିଳା ବିଡ଼ିଓଙ୍କୁ ଆକ୍ରମଣ ପରେ ରାଜନଗରରେ ଉତ୍ତେଜନା; ରାସ୍ତାକୁ ଓହ୍ଲାଇଲା ବିଜେଡି, ବିଜେପି ନେତାଙ୍କ ଗିରଫ ଦାବିରେ ପ୍ରତିବାଦ