କନକ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ରାଜକୁମାର ରାଓ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଏହି ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ କୋଲକାତାର ଇଡେନ ଗାଡେନ୍ସଠାରେ ଆରମ୍ଭ ହେବ। ତେବେ ଏହି ଅବସରରେ ନିଜେ ସୌରଭ ଉପସ୍ଥିତ ରହିବେ ନାହିଁ। ସେହି ସମୟରେ ଲଣ୍ଡନରେ ଥିବା ନିଜ ଝିଅ ପାଖକୁ ଯିବାକୁ ଥିବାରୁ ସେ ଅନୁପସ୍ଥିତ ରହିବେ। ଏହି ବାୟୋପିକ୍‌ ସମ୍ପର୍କରେ ଆଲୋଚନା କରିବାକୁ ବୁଧବାର ମୁମ୍ବାଇ ଓ ରାଜକୁମାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୌରଭଙ୍କ ବ୍ୟକ୍ତିଗତ ଜୀବନ ଓ କ୍ରିକେଟ୍‌ ଜୀବନ ଉପରେ ଆଲୋଚନା ହୋଇଥିଲା।

Advertisment

ଆହୁରି ପଢ଼ନ୍ତୁ... ଇଂରାଜୀ ଶିଖିନଥିବାରୁ ପସ୍ତାଉଛି: ମେସି

ବୈଠକରେ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟଓ୍ବାନେ, ଲଭ ରଂଜନ ଫିଲ୍ମସ୍‌ର ମୁଖ୍ୟ, ସୌରଭଙ୍କ ଘନିଷ୍ଠ ବନ୍ଧୁ ସଂଜୟ ଦାସ ଉପସ୍ଥିତ ଥିଲେ। ସବୁକିଛି ଯୋଜନା ଅନୁସାରେ ଖୁବଶୀଘ୍ର ଏହାର ମହୁରତ ହେବ। ଅନ୍ୟପକ୍ଷରେ ସୌରଭଙ୍କ ଚରିତ୍ରରେ ନିଖୁଣ ଅଭିନୟ କରିବାକୁ ରାଜକୁମାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ ମୁମ୍ବାଇରେ ଜଣେ କ୍ରିକେଟ୍‌ ପ୍ରଶିକ୍ଷକଙ୍କ ନିକଟରୁ ବ୍ୟାଟିଂ କୌଶଳ ଶିକ୍ଷା କରୁଛନ୍ତି। ବିଶେଷକରି ସୌରଭଙ୍କ ସ୍ବତନ୍ତ୍ର ସଟ୍‌ ଖେଳିବା ଶୈଳୀକୁ ସେ ଶିଖୁଛନ୍ତି। ବଲିଉଡ୍‌ରେ ମହାନ କ୍ରିକେଟ୍‌ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ନୂଆ ନୁହେଁ। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଏମଏସ ଧୋନୀ : ଦି ଅନଟୋଲ୍ଡ ଷ୍ଟୋରି, ସଚିନ: ଏ ବିଲିୟନ ଡ୍ରିମ୍ସ୍‌, କପିଳ ଦେବ ଓ ୧୯୮୩ ବିଶ୍ବ ବିଜୟୀ ଭାରତୀୟ ଦଳ ଉପରେ ପର୍ଯ୍ୟବେଶିତ ‘୮୩’ ନିର୍ମାଣ ହୋଇସାରିଛି। ସେହିପରି ଯୁବରାଜ ସିଂଙ୍କ ଉପରେ ବି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା ହୋଇଛି।