କନକ ବ୍ୟୁରୋ : ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପୁଣିଥିରେ ଭୋଟ ଚୋରି ନେଇ ତଥ୍ୟ ଉପସ୍ଥାପନା କରିଛନ୍ତି । ଅଭିଯୋଗ କରିଛନ୍ତି କି, ବିଜେପି ପାଇଁ ଭୋଟ ଚୋରି କରୁଛନ୍ତି ନିର୍ବାଚନ ଆୟୋଗ । ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କିଛି ଭୋଟର ତାଲିକାରେ ହୋଇଥିବା ଗଡ଼ବଡ଼କୁ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି କି, କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନଙ୍କର ସ୍ଥିତି ଯେଉଁଠି ଭଲ ରହିଛି ସେଠି ଭୋଟର ତାଲିକାରେ ହେରାଫେରି କରାଯାଇଛି ।
ରାହୁଲ କହିଛନ୍ତି ଏହା ହାଇଡ୍ରୋଜେନ ବୋମା ନୁହେଁ । କିଛି ସମୟ ମଧ୍ୟରେ ହାଇଡ୍ରୋଜେନ ବୋମା ଫୁଟିବାକୁ ଯାଉଛି । ଏହା ଦେଶର ଯୁବବର୍ଗଙ୍କୁ ଦେଖାଇବାକୁ ଚାହୁଛି କି, କିଭଳି ଭାବେ ଦେଶରେ ନିର୍ବାଚନ ଆୟୋଗ ନାଗରିକଙ୍କ ଅଧିକାରକୁ ଚୋରି କରୁଛନ୍ତି ।
ସେ କର୍ଣ୍ଣାଟକର ଅଲନ୍ଦ ନିର୍ବାଚନ କ୍ଷେତ୍ରରେ ହୋଇଥିବା ଭୋଟର ତାଲିକା ଗଡ଼ବଡ଼ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ରାହୁଲଙ୍କ ତଥ୍ୟ ମୁତାବକ ଏହି ନିର୍ବାଚନ କ୍ଷେତ୍ରରେ ୬୦୧୮ ଭୋଟରଙ୍କ ନାମ କାଟିବାକୁ ଚେଷ୍ଟା କରାଯାଇଛି । ସେ କହିଛନ୍ତି କି, ୬୦୧୮ ଜଣ ଭୋଟରଙ୍କ ତଥ୍ୟ ମିଳିଛି । ହେଲେ ବାସ୍ତବ ସଂଖ୍ୟା ଏହାଠାରୁ ଢେର ଅଧିକ ବୋଲି ସେ କହିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ରାହୁଲ ଗାନ୍ଧୀ ଏଭଳି ଭୋଟ ଚୋରି ପଛରେ ନିର୍ବାଚନ ଆୟୋଗଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ଆଉ କହିଛନ୍ତି କି, ଭୋଟ ଚୋରଙ୍କୁ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ସହଯୋଗ କରୁଛନ୍ତି । ଜ୍ଞାନେଶ କୁମାର ଭାରତୀୟ ଲୋକତନ୍ତ୍ରକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆଗାମୀ ଦିନରେ ଜ୍ଞାନେଶ କୁମାରଙ୍କୁ ଦେଶର ନାଗରିକଙ୍କ ସାମ୍ନାରେ କ୍ଷମା ମାଗିବାକୁ ପଡ଼ିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।