Airport Photograph: (Kanak news)
କନକ ବ୍ୟୁରୋ: ରାଜ୍ୟ ବିକାଶରେ ସହଭାଗିତା ହେବ ପୁରୀର ପ୍ରସ୍ତାବିତ ଗ୍ରିନଫିଲ୍ଡ ଏୟାର ପୋର୍ଟ। ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ସହ ଆର୍ଥିକ ବିକାଶକୁ ନୂଆ ଗତି ଦେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର। ପୁରୀରେ ପ୍ରସ୍ତାବିତ ରାଜ୍ୟର ପ୍ରଥମ ଗ୍ରିନଫିଲ୍ଡ ଏୟାରପୋର୍ଟ ପାଇଁ ମିଳିସାରିଛି ଦୁଇ ପ୍ରମୁଖ ମଞ୍ଜୁରି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସ୍ଥିତି ସମୀକ୍ଷା କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ସୁପାରିସରେ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ମଧ୍ୟ ଦେଇଛନ୍ତି।
ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ଆବଶ୍ୟକ ୧୧୬୪ ଏକର ଜମି ମଧ୍ୟରୁ ୬୮ ଏକର ଜଙ୍ଗଲ ଜମି ରହିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଞ୍ଜୁରି ପରେ ପ୍ରସ୍ତାବିତ ବିମାନ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହେବ। ତେବେ ୨୨୧ ଏକର ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଜଙ୍ଗଲ ଜମିର ପରିବେଶ ମଞ୍ଜୁରି ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ଏ ନେଇ ମଧ୍ୟ ଗ୍ରାମଗୁଡ଼ିକରେ ଜନଶୁଣାଣି ଶେଷ ହୋଇଛି। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ, ଗୃହ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆଇଏମ୍ଡି ମଧ୍ୟରେ ବିଚାରବିମର୍ଶ ଜାରି ରହିଥିବାରୁ ପୁରୀ ବିମାନବନ୍ଦରକୁ କାମ ଆରମ୍ଭ କରିବା ଲାଗି ଶୀଘ୍ର ମଞ୍ଜୁରି ମିଳିବ ବୋଲି ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ... ବ୍ଲଗରଙ୍କ ହତ୍ୟା ପଛରେ କିଏ? କାହିଁକି ଯବାନ ପାଲିଟିଲା ଜହ୍ଲାଦ?
ରାଜ୍ୟ ସରକାର କ୍ଷମତାକୁ ଆସିବା ପରେ ୨୦୦୮ ପଲିସି ଅନୁଯାୟୀ ଇନ୍ ପ୍ରିନ୍ସିପଲ୍ ଆପ୍ରୁଭାଲ ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ମଞ୍ଜୁରୀ ମିଳିସାରିଛି। ୨୦୨୫ ମେ’ ୬ରେ ନୀତିଗତ ମଞ୍ଜୁରୀ ମିଳିସାରିଛି। ସେହିପରି ୨୦୨୩ ସେପ୍ଟେମ୍ବରରୁ ମିଳିସାରିଛି ସାଇଟ୍ କ୍ଲିଅରାନ୍ସ। ଗତ ଜୁନ ୨୫ରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ବିମାନବନ୍ଦର ପାଇଁ ପରିବେଶଗତ ମଞ୍ଜୁରୀ ପାଇଁ ସୁପାରିସ କରିଛି। ବିମାନ ବନ୍ଦର ନିର୍ମାଣ ହେବା ପରେ ଏହି ସହରକୁ ବିଭିନ୍ନ ସ୍ଥାନରୁ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇପାରିବ। ଯାହା ସ୍ଥାନୀୟ ଅର୍ଥନୀତି ଓ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ତେଣୁ ଖୁବ୍ଶୀଘ୍ର କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା।
ତେବେ ଜମି ଅଧିଗ୍ରହଣ ବ୍ୟବସ୍ଥା ସାରିଥିବା ବେଳେ ଡିପିଆର ମଞ୍ଜୁରି ପରେ ଶ୍ରୀକ୍ଷେତ୍ରକୁ ମିଳିବ ନୂଆ ଏୟାର ପୋର୍ଟ।
Follow Us