କନକ ବ୍ୟୁରୋ : ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଦଣ୍ଡ ଛୁଇଁପାରୁନି ପର୍ଯ୍ୟଟନ ନଗରୀ ପୁରୀ । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଫଳ ଶୂନ । ଫେଲ୍‌ ମାରିଛି ପୌରପାଳିକା ଦ୍ଵାରା ନିଯୁକ୍ତ ଠିକା ସଂସ୍ଥା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ପର୍ଯ୍ୟଟନ ବିଭାଗ । ବେଳାଭୂମି ସ୍ବଚ୍ଛତାର ନଗ୍ନ ରୂପକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । 

Advertisment

ସମୁଦ୍ରରେ ମିଶୁଛି ନର୍ଦ୍ଦମା ପାଣି । ଏଠି ସେଠି ଆବର୍ଜନା, ମାଇକ୍ରୋ ପ୍ଲାଷ୍ଟିକରେ ଭର୍ତ୍ତି । ଏ ହେଉଛି ପୁରୀ ବେଳାଭୂମିର କଥା । ଆଉ ବେଳାଭୂମିର ଅସଲ ଚିତ୍ରକୁ ପଦା ପକାଇ ଦେଇଛି ପର୍ଯ୍ୟଟନ ସଚିବଙ୍କ ଚିଠି । ବେଳାଭୂମି ସଫେଇର ମାନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଚିଠି କରିଛି ପର୍ଯ୍ୟଟନ ବିଭାଗ । ନିୟୋଜିତ ଠିକା ସଂସ୍ଥା ଏଥିରେ ବିଫଳ ହୋଇଥିବା ବେଳେ ଅଧିକ ମାନବ ସମ୍ବଳ ନିୟୋଜନ ସହ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିବାକୁ ପର୍ଯ୍ୟଟନ ବିଭାଗ କମିଶନର ଚିଠି କରିଛନ୍ତି । ଏଥିସହ ସ୍ୱଚ୍ଛତା ପାଇଁ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । 

ଅଧିକ ପଢ଼ନ୍ତୁ---ଗଞ୍ଜାମ ଖଲ୍ଲିକୋଟରେ ସରକାରୀ ନିୟମକୁ ଫୁ’, ସରକାରଙ୍କ ଠୁ’ ଟଙ୍କା ନେଇ ସୂତା ଅଖା ଦେଉନାହାନ୍ତି ମିଲର୍‌

ବିଧାନସଭାରେ ଆଇନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧ ବର୍ଷ ମଧ୍ୟରେ ବେଳାଭୂମି ସ୍ବଚ୍ଛତା ପାଇଁ ମଞ୍ଜୁର ହୋଇଛି ୪ କୋଟି ୬ ଲକ୍ଷ ୯୩୪ ଟଙ୍କା , ତଥାପି ସୁଧୁରୁନି ସ୍ଥିତି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ସାଢ଼େ ୪ କିଲୋମିଟର ବେଳାଭୂମି ସ୍ବଚ୍ଛତା ପାଇଁ ପ୍ରସ୍ତୁତ ହୋଇଛି ନୂଆ ଯୋଜନା । ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବାକୁ ରହିଛି ଫୋକସ୍ । ପ୍ରଶ୍ନ ଉଠୁଛି କେଉଁ ବାଟରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ? ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ବି କାହିଁକି ସ୍ଥିତିରେ ଆସୁନି ସୁଧାର ?