କନକ ବ୍ୟୁରୋ: ପଞ୍ଜାବରେ ବିଧାନସଭା ନିର୍ବାଚନ ୨୦୨୭ରେ ହେବାକୁ ଥିବାବେଳେ ଏବେଠୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ଆମ୍‌ ଆଦମୀ ପାର୍ଟି, କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଦେଲେଣି । ଶାସକ ଦଳ ଆପ୍‌ ଫେବ୍ରୁଆରି ୧୬ରେ ମୋଗାର କିଲି ଚାହଲନଠାରେ ନିଶାମୁକ୍ତି ଅଭିଯାନ କରିଥିଲା । କଂଗ୍ରେସ ଓ ବିଜେପି ଖୁବ୍‌ ଶୀଘ୍ର ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଦଳୀୟ ସୂତ୍ର ଅନୁଯାୟୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫେବ୍ରୁଆରି ୨୮ରେ ବର୍ନାଲାରେ ଏକ ରାଲିକୁ ସମ୍ବୋଧିତ କରିବେ । ବିଜେପି ମାର୍ଚ୍ଚରେ ଏହାର ଅଭିଯାନ ଆରମ୍ଭ କରିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଲିକୁ ସମ୍ବୋଧିତ କରିବେ । ବିଜେପି ଶିରୋମଣି ଅକାଳି ଦଳ ସହିତ ମିଶି ପଞ୍ଜାବରେ ଏହାର ସ୍ଥିତି ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି । 

Advertisment

ଅଧିକ ପଢନ୍ତୁ: ଛାତ୍ର ମୃତ୍ୟୁକୁ ନେଇ ମହାଭାରତ: ଗୁଜୁରାଟ ଅମହମ୍ମଦାବାଦର ଦଶମ ଛାତ୍ରକୁ ଛୁରୀ ଭୁସି ହତ୍ୟା

ଶିରୋମଣି ଅକାଳି ଦଳ କାଡିଆନ୍‌ରେ ‘ପଞ୍ଜାବ ବଚାଅ, ସୁଖବୀର ସିଂହ ବାଦଲ ଲିୟାଓ’ ଅଭିଯାନ କରି ଏହାର ପ୍ରଚାର ଆରମ୍ଭ କରିସାରିଥିଲା । ଏପ୍ରିଲ ୧୩ରେ ଏହା ଆଉ ଏକ ରାଲି କରିବାକୁ ଯାଉଛି । ଗତବର୍ଷ ବନ୍ୟା ଯୋଗୁଁ ଏହି ରାଲି ବାତିଲ କରାଯାଇଥିଲା । ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ ପ୍ରଦେଶ କଂ‌ଗ୍ରେସ କମିଟି ହର୍ଦିଆଲ ସିଂହ କମ୍ବୋଜଙ୍କୁ ବର୍ନାଲା ଜିଲ୍ଲା ପ୍ରଭାରୀ ନିଯୁକ୍ତ କରିଛନ୍ତି । ଏଠାରୁ ରାହୁଲ ଗାନ୍ଧୀ ତାଙ୍କ ରାଲି କରିବାକୁ ଥିବାବେଳେ ରାଜ୍ୟର ସମସ୍ତ ପ୍ରମୁଖ ନେତାଙ୍କୁ ଉପସ୍ଥିତ ରହିବାକୁ ପଞ୍ଜାବ କଂଗ୍ରେସ ସଭାପତି ତଥା ଲୁଧିଆନା ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବର ବିଗୁଡ଼ିଥିବା ଆଇନ କାନୁନ ବ୍ୟବସ୍ଥାଠାରୁ ଆରମ୍ଭ କରି ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ଓ ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି ଓ କୃଷକଙ୍କ ଉପରେ ଏହାର ପ୍ରଭାବ ଉପରେ ଏହି ରାଲିରେ ରାହୁଲ ଉଦ୍‌ବୋଧନ ଦେବେ। ବର୍ନାଲାର ମଣ୍ଡିଠାରେ ରାଲି କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।