କନକ ବ୍ୟୁରୋ : ଶିକ୍ଷା ବର୍ଷ ଶେଷ ହୋଇ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ହେଲେ ଅନେକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶ୍ରେଣୀଗୃହ ଅଭାବ ପାଇଁ ଅଭିଭାବକ ଆଉ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହା ପରିବର୍ତ୍ତେ ବେସରକାରୀ ସ୍କୁଲରେ ପିଲାଙ୍କୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
ସେରଗଡ଼ ବ୍ଲକ ଚଷାମହୁଲି ପ୍ରାଥମିକ ବିଦ୍ୟାଳୟ । ୧୯୧୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପୂର୍ବରୁ ଶହେରୁ ଅଧିକ ପିଲା ପାଠ ପଢ଼ୁଥିଲେ । ଏବେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଅଛନ୍ତି ମାତ୍ର ୪୭ ପିଲା । କାରଣ ଜଣେ ଶିକ୍ଷକ ଗୋଟିଏ କୋଠରୀରେ ସବୁ ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ୁଛନ୍ତି । ଶିକ୍ଷକ ଯେଉଁଦିନେ ଛୁଟିରେ ରୁହନ୍ତି, ସେଦିନ ପିଲା ଆସି ଖେଳକୁଦ କରି ଫେରିଯାଆନ୍ତି । ଯେଉଁଥିପାଇଁ ଗାଁର ଅଧାରୁ ଅଧିକ ପିଲା ବେସରକାରୀ ସ୍କୁଲ୍ ମହାଁ । କେବଳ ଏହି ସ୍କୁଲ ନୁହେଁ ପି.କରଡାକଣା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ୬ଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସୁଛନ୍ତି । ଧରାକୋଟ ବ୍ଳକର ଅନେକ ସ୍କୁଲରେ ସମାନ ସ୍ଥିତି ।
ଅଧିକ ପଢ଼ନ୍ତୁ : ମଦ ଉଜାଡୁଛି ସଂସାର, ବେଆଇନ ମଦ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
ଗଞ୍ଜାମ ଜିଲ୍ଲାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବର୍ଷକୁ ବର୍ଷ ପିଲାଙ୍କ ସଂଖ୍ୟା ହ୍ରାସ ପାଉଛି । କାହିଁକି ସରକାରୀ ସ୍କୁଲ୍ରେ ଉପସ୍ଥାନ କମୁଛି ? କାରଣ ହେଉଛି ଶିକ୍ଷକ ଅଭାବ ଓ ଶ୍ରେଣୀଗୃହ ସମସ୍ୟା । ନୂତନ ଶିକ୍ଷା ବର୍ଷ ଆରମ୍ଭରୁ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ସଚେତନ କରି ବସିପଡ଼ୁଛି ପ୍ରଶାସନ । ବିଦ୍ୟାଳୟ ଆନୁସଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବାକୁ କୌଣସି ବ୍ୟବସ୍ଥା ହେଉନଥିବାରୁ ପିଲାଙ୍କ ଉପସ୍ଥାନ କମୁଥିବା ଅଭିଯୋଗ ହୋଇଛି ।
ଶିକ୍ଷା ବିଭାଗ କରୁଛି କ’ଣ ? ବିଦ୍ୟାଳୟ ପାଇଁ ଆସୁଥିବା କୋଟିକୋଟି ଟଙ୍କା ଯାଉଛି କୁଆଡ଼େ ? କାହିଁକି ଶିକ୍ଷକ ନିଯୁକ୍ତି ଦିଆଯାଉନି ? ନା ସଚେତନତାରେ ସରିଛି ବିଭାଗୀୟ ବାବୁଙ୍କ କର୍ତ୍ତବ୍ୟ ? ଏମିତି କିଛି ବର୍ଷ ଚାଲିଲେ ସରକାରୀ ବିଦ୍ୟାଳୟରେ ଉପସ୍ଥାନ ଶୂନ ହୋଇଯିବ ଏହାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/18/primary-schools-2026-02-18-18-17-11.png)