କନକ ବ୍ୟୁରୋ: ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଆସନ୍ତା ୨୮ ତାରିଖ ଦିନ ପ୍ରଥମ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନ ହେବ । ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରଶ୍ନର ଜବାବ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିସହ ୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Advertisment

ଅଧିକ ପଢନ୍ତୁ :ସସ୍ମିତ ଦୂରେଇ ଗଲେ ନା ଦୂରେଇ ଦିଆଗଲା ! ପିଏସି ମିଟିଂରେ ସାଂସଦଙ୍କର ମିଳୁନି ଦେଖା

ବିଧାନସଭା ଶୀତ ଅଧିବେଶନ ପାଇଁ ବସିଛି ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଠାରୁ ଆରମ୍ଭ କରି ଖୋର୍ଦ୍ଧା, ବାଘମାରୀ ଓ କଟକ ଏସସିବିରେ ନାରୀ ନିର୍ଯ୍ୟାତନା ଘଟଣା ଅତ୍ୟନ୍ତ ପୀଡ଼ା ଦାୟକ । ଏଭଳି ସମ୍ବେଦନଶୀଳ ଘଟଣା ସରକାରଙ୍କର ଅପାରଗତାକୁ ପଦାରେ ପକାଇଛି। ରାଜ୍ୟରେ ଚାଷୀ ଓ ମହିଳାମାନେ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି । 

ଅଧିକ ପଢନ୍ତୁ :  ବିଧାନସଭା ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଐତିହାସିକ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସରକାର ନା ଚାଷୀଙ୍କୁ ଠିକ୍‌ ସମୟରେ ସାର ଯୋଗାଇ ପାରୁଛନ୍ତି, ନା ମିଶନ ଶକ୍ତି ମା’ ମାନଙ୍କୁ ଋଣ ସହାୟତା ଦେଇ ପାରୁଛନ୍ତି। ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ସରକାରଙ୍କର ଉଦାସୀନତାର ଦୃଢ ବିରୋଧ କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ ଚାଷୀ, ମହିଳା ଓ ଯୁବ ବର୍ଗର ବିରୋଧୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।  ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ଶୀତ କାଳୀନ ଅଧିବେଶନରେ ବିଭିନ୍ନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପିସିସି ସଭାପତି ଭକ୍ତ ଦାସ, କଂଗ୍ରେସ ବିଧାୟିକା ସୋଫିଆ ଫିର୍ଡୋସ, ବିଧାୟକ ମଙ୍ଗୁ ଖିଲ, ପବିତ୍ର ସାଉଁଟା, ସିଏସ ରାଜନ ଏକ୍କା, ନିଲାମାଧବ ହିକ୍କା ପ୍ରମୁଖ ଉପସ୍ଥିତ ଥିଲେ ।