କନକ ବ୍ୟୁରୋ: ‌‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେ‌ଷ ସୁପର୍‌-୮ ମ୍ୟାଚ୍‌କୁ ଜିତି ଭାରତ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ ୫୦ ବଲ୍‌ରୁ ୧୨ ଚୌକା ୪ ଛକା ସହୟାତାରେ ୯୭* ରନ୍‌ର ଅପରାଜିତ ପାଳି ଭାରତକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଖାଲି ଏତିକି ନୁହେଁ ସେ ବିରାଟ କୋହଲି (୮୨)ଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ବ୍ୟାଟର୍‌ ଭାବେ ରନ୍ ପଶ୍ଚାତ୍‌ଧାବନରେ ସର୍ବାଧିକ ସ୍କୋର୍‌ କରିଥିଲେ। ଏଥିସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୋଟିଏ ପାଳିରେ ସର୍ବାଧିକ ରନ୍‌ କରିବାରେ ସୁରେଶ ରାଇନାଙ୍କ ପରେ ଦ୍ବିତୀୟ ଭାରତୀୟ ହେବାର ଗୌରବ ପାଇଥିଲେ। ରାଇନା ୨୦୧୦ ‌ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନ୍ କରିଥିଲେ।

Advertisment

ଏହି ମ୍ୟାଚ୍‌ ବିଜୟୀ ସାହାସିକ ପାଳି ପାଇଁ ସଞ୍ଜୁଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି। କ୍ବାର୍ଟରଫାଇନାଲ୍‌ ଆଖ୍ୟା ପାଇଥିବା ଏହି ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ବିଜୟୀ ପାଳି ‌ଖେଳିଥିବା ସଞ୍ଜୁଙ୍କୁ ଦଳର ମୁଖ୍ୟପ୍ରଶିକ୍ଷକ ଗୌତମ ଗମ୍ଭୀର ‌ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ପୂର୍ବତନ କ୍ରିକେଟର୍‌ମାନେ ପ୍ରଶଂସାରେ ପୋତି ଦେଇଛନ୍ତି। ମ୍ୟାଚ୍‌ ପରେ ଗମ୍ଭୀର କହିଛନ୍ତି ଯେ, ‘‘ସାମ୍‌ସନ୍‌ ଜଣେ ବିଶ୍ୱସ୍ତରୀୟ ଖେଳାଳି। ଆମେ ଏହା ଜାଣିଥିଲୁ ତେଣୁ ତାଙ୍କୁ ସମର୍ଥନ କରିଆସୁଥିଲୁ। ଦଳକୁ ଆଜି ତାଙ୍କର ଆବଶ୍ୟକ ଥିଲା ଏବଂ ସେ ନିଜର ପ୍ରକୃତ କ୍ଷମତା ଦେଖାଇଦେଲେ। ସେ ସ୍ଥିର ମାନସିକତାରେ ଖେଳିଥିଲେ। ଗତି ଉପରେ ଜୋର୍‌ଦାର ନ ଦେଇ ସାଧାରଣ କ୍ରିକେଟ୍‌ ସଟ୍‌ ଖେଳିଥିଲେ। ଏହା ତାଙ୍କର ପ୍ରତିଭା। ଏହି ମ୍ୟାଚ୍ ବିଜୟୀ ପାଳି ତାଙ୍କ କ୍ୟାରିୟର ପାଇଁ ଏକ ଭିନ୍ନ ମୋଡ଼ ଆଣିବ।’’

ଆହୁରି ପଢ଼ନ୍ତୁ... ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

ସୂର୍ଯ୍ୟକୁମାର କହିଛନ୍ତି ଯେ ‘‘ଏହି ମ୍ୟାଚ୍‌ କ୍ୱାର୍ଟରଫାଇନାଲ ସଦୃଶ ଥିଲା। ଆମ ଦଳ ବହୁତ ଭଲ ଖେଳିଲା। ମୁଁ ସର୍ବଦା କହେ, ଭଲ ଜିନିଷକୁ ଅପେକ୍ଷା କରୁଥିବା ଲୋକ ହିଁ ଭଲ ପାଇଥାଏ। ଏହା ସାମ୍‌ସନ୍‌ଙ୍କ କଠିନ ପରିଶ୍ରମର ଫଳ। ପ୍ରତିଯୋଗିତା ଆରମ୍ଭରୁ ଆମେ ଯେପରି ଖେଳୁଛୁ। ମୁଁ ଭାବୁଛି ଆମେ ମୁମ୍ବାଇରେ ଖେଳିବା ଲାଗି ଯୋଗ୍ୟ। କିନ୍ତୁ ଏବେ ଏହା ଉପରେ ଚିନ୍ତା କରିବାର ବେଳ ନୁହେଁ। ଆମେ ମୁମ୍ବାଇ ଯିବୁ, ଇଂଲଣ୍ଡ ବିପକ୍ଷ ଆଗାମୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେବୁ। ଏଥିପାଇଁ ଆମ ଉପରେ କୌଣସି ଚାପ ନାହିଁ।’’ ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ କହିଛନ୍ତି ଯେ, କର ବା ମର ମ୍ୟାଚ୍‌ରେ ଭାରତ ପାଇଁ ସଞ୍ଜୁ ସାମ୍‌ସନ୍‌ ଜଣେ ମଣିଷ। ସେ ଗେମ୍‌ ଚେଞ୍ଜର୍‌ ବୋଲି ନିଜକୁ ପ୍ରମାଣିତ କରିଦେଲେ।

ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଛନ୍ତି ଭାରତୀୟ ଯୁବ ଓପନର୍‌ ଅଭିଷେକ ଶର୍ମା। ଚଳିତ ବିଶ୍ବକପ୍‌ରେ ଲଗାତାର ବିଫଳ ହେବା ପରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରି ଅଭିଷେକ ଫର୍ମ ଫେରିବାର ସଙ୍କେତ ଦେଇଥିଲେ। ହେଲେ ରବିବାର ୱେଷ୍ଟଇଣ୍ଡିଜ୍‌ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପୁଣି ଥରେ ବ୍ୟାଟିଂରେ ବିଫଳ ହେଲେ। ଖାଲି ବ୍ୟାଟିଂ ନୁହେଁ ଫିଲ୍ଡିଂ ବେଳେ ୨ଟି କ୍ୟାଚ୍‌ ଛାଡ଼ିଥିଲେ। କ୍ୟାଚ୍‌ ଛାଡ଼ିବାରୁ ଭାରତ ସମ୍ମୁଖରେ ୱେଷ୍ଟଇଣ୍ଡିଜ୍‌ ୧୯୬ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ରଖିପାରିଥିଲା। ବ୍ୟାଟିଂରେ ସେ ୧୧ ବଲ୍‌ରୁ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହି ବିଫଳତା ଲାଗି ତାଙ୍କୁ ସମର୍ଥକମାନେ ଭୀଷଣ ସମାଲୋଚନା କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର୍‌ ମନୋଜ ତିୱାରୀ କହିଛନ୍ତି, ଅଭିଷେକ ଏତେ କମ୍ ସମୟ ମଧ୍ୟରେ ଜଣେ ଷ୍ଟାର୍‌ ହୋଇସାରିଛନ୍ତି, କିନ୍ତୁ ଯଦି ସେ ସୁପରଷ୍ଟାର ହେବାକୁ ଚାହାନ୍ତି, ତେବେ ତାଙ୍କୁ ଦଳ ପାଇଁ ଆହୁରି କରିବାକୁ ପଡ଼ିବ। ବହୁତ ପ୍ରତିଯୋଗିତା ଅଛି, ଦଳରେ ଅନେକ ମ୍ୟାଚ୍ ବିଜେତା ଅଛନ୍ତି, ତେଣୁ ତାଙ୍କୁ ସେମାନଙ୍କଠାରୁ ଆଗରେ ରହିବାକୁ ପଡ଼ିବ। ଜଣେ ପ୍ରଶଂସକ ଲେଖିଛନ୍ତି, ଯଦି ଭାରତ ସିରିଅସ୍‌ ଅଛି, ତେବେ ଅଭିଷେକଙ୍କୁ ଖେଳାଇବା ଦରକାର ନାହିଁ। ଆଉ ଜଣେ ଲେଖିଛନ୍ତି ଗୋଟିଏ ଅର୍ଦ୍ଧଶତକ, ୩ ଡକ୍‌, କି ଖରାପ ଅଭିଯାନ।