Man carries sons deadbody Photograph: (KanakNews)
କନକ ବ୍ୟୁରୋ: ଚାରିଆଡ଼େ କୁହୁଡ଼ି । ମୁହଁକୁ ମୁହଁ ଦେଖାଯାଉନଥାଏ । ୪ ମାସର କୁନିପୁଅର ଦେହ ଜ୍ବରରେ କମ୍ପୁଥିବାରୁ ବାପା , ମା ନେଇ ବାହାରିଲେ ହସ୍ପିଟାଲ । ପାଖରେ ପଇସା ବି ଖୁବ୍ କମ୍ । ଘରୋଇ କ୍ଲିନିକରେ ଦେଖାଇବା ଅସମ୍ଭବ । ତେଣୁ ଝାଡ଼ଖଣ୍ଡ ଚାଇବାସାର ସରକାରୀ ହସ୍ପିଟାଲକୁ ନେଲେ । ଭାରି ଆଶା ଥିଲା ତାଙ୍କ ପୁଅକୁ ଏଠି ଡାକ୍ତର ବାବୁ ଭଲ କରିଦେବେ । ହେଲେ ତାଙ୍କର ସେ ସରଳ ଆଶା ଚାହୁଁ ଚାହୁଁ ମଉଳିଗଲା । ପୁଅ ଜ୍ବରରେ କମ୍ପୁଥିଲା , ହେଲେ ନା ଥିଲା ଡାକ୍ତରଙ୍କ ଦେଖା, ନା ନର୍ସଙ୍କ ଦେଖା । ଡେରିରେ ଡାକ୍ତର ଆସି କ’ଣ ଟିକେ ଦେଖି ଚାଲିଗଲେ । ଆଉ କିଛି ଘଣ୍ଟା ପରେ ପୁଅର ଜୀବନ ଚାଲିଗଲା ।
ଅଧିକ ପଢନ୍ତୁ: ନଦୀର ନିରବ କାନ୍ଦଣା ; କହୁଛି , ମୋ କୋଳ ଏବେ ଖାଲି ହେବାରେ ଲାଗିଛି
କାହାକୁ କିଛି କହିବାକୁ ଏ ଗରିବ ବାପା, ମାଆଙ୍କ ପାଖରେ କିଛି କଥା ନଥିଲା । ପାଖରେ ମୋବାଇଲଟେ ବି ନାହିଁ ଯେ କାହାକୁ କହି ସାହାଯ୍ୟ ମାଗିବେ । ପୁଅ ଚାଲିଗଲାଣି ହେଲେ ହସ୍ପିଟାଲ ଡର୍ମିଟୋରୀରେ କେହି ଦେଖାଯାଉନଥିଲେ, ଜଣେ ଗାର୍ଡ ବସିଥିଲେ , ତାଙ୍କୁ ଯାଇ କହିବାରୁ ସେ କହିଥିଲେ ଆଉ ୨ ଘଣ୍ଟା ପରେ ଯାଇ ଆମ୍ବୁଲାନ୍ସ ମିଳିବ । ହେଲେ ସେଥିପାଇଁ ବି ଛତୁମ୍ବାଙ୍କ ପାଖରେ ପଇସା ନଥିଲା । ପାଖରେ ଥିଲା ମାତ୍ର ୧୦୦ ଟଙ୍କା । ତେଣୁ ଆଉ କାହାକୁ କିଛି ନକହି ସିଧା ଯାଇଥିଲେ ଗୋଟେ ଦୋକାନକୁ ସେଠୁ ସଉଦା ବ୍ୟାଗଟେ କିଣିଲେ ସେଥିରେ କୁନି ପୁଅର ଶବକୁ ରଖି ସ୍ବାମୀ ସ୍ତ୍ରୀ ବାହାରିଲେ ବସ୍ ଷ୍ଟାଣ୍ଡକୁ । ସେଠୁ ୱେଷ୍ଟ ସିଙ୍ଗଭୂମର ବାଲଜୋରି, ପାଖାପାଖି ୭୦ କିଲୋମିଟର ବସରେ ସେ ଘରକୁ ଫେରିଲେ । ବ୍ୟାଗକୁ ଛାତି ପାଖରେ ଚାପିଧରି ଥିଲେ ବାପା । ଆଉ ସ୍ବାମୀ , ସ୍ତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ପୂରା ଗାଁରେ ଏ ଖବର ବ୍ୟାପୀଗଲା । ଚାହୁଁ ଚାହୁଁ ପୂରା ଜିଲ୍ଲାରେ ଏ ଖବର ଖେଳିଗଲା ।
ଏଭଳି ଘଟଣା ଆମ ଦେଶରେ ନୂଆ ନୁହେଁ । ବରଂ ୟା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ମହାରାଷ୍ଟ୍ର ନାସିକରେ ଘଟିଥିଲା । ନିଜର ଦୁଇ ଯାଆଁଳା ପୁଅଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କୁ ଘରକୁ ମୃତଦେହ ନେବାକୁ ଆମ୍ବୁଲାନ୍ସ ମିଳିଲାନି ବୋଲି ସେମିତି କୋଳରେ ଧରି ବସରେ ଜଙ୍ଗଲିଆ ରାସ୍ତାରେ ପଶି ୯୦ କିଲୋମିଟର ଯାତ୍ରା କରିଥିଲେ । ଏଘଟଣାରେ ହାଇକୋର୍ଟ ସମ୍ପୃକ୍ତ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ ।
୨୦୧୬ ର ଘଟଣା ସାରା ଦେଶବାସୀଙ୍କର ମନେଥିବ । ଓଡ଼ିଶାର ଦାନ ମାଝୀ, ଅଭାବ ଯୋଗୁଁ ଆମ୍ବୁଲାନ୍ସ ମିଳିଲାନି ବୋଲି ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହି ୧୨ କିଲୋମିଟର ବାଟ ଚାଲି ଗାଲି ଘରକୁ ଫେରିଥିଲେ। ଏ ଘଟଣା ପୂରା ରାଜ୍ୟ ଓ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏତେସବୁ ପରେ ବି ସ୍ଥିତି ସୁଧୁରିବାର ନାଁ ନାହିଁ । ଅଭାବୀ , ଗରିବ ପାଇଁ .ଯେମିତି ସ୍ବାସ୍ଥ୍ୟ ବିଭାଗର ଜମା ନିଘା ନାହିଁ , ଯାହା କ୍ଷୋଭର ବିଷୟ ।
Follow Us