କନକ ବ୍ୟୁରୋ : ପିଲା ଭଲରେ ପାଠ ପଢ଼ିବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ସୁସ୍ଥ ଓ ଶୈକ୍ଷିକ ବାତାବରଣ । ଗଜପତି ଜିଲ୍ଲା କେ ସୀତାପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ପିଲା ପାଠପଢ଼ିବାକୁ ଆବଶ୍ୟକ ଶ୍ରେଣୀଗୃହ ନାହିଁ । ଅନ୍ୟପଠେ ୫-ଟିରେ ନୂତନ ରୂପାନ୍ତରିତ ଶ୍ରେଣୀଗୃହରେ ବି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ ।

Advertisment

ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁଧୁରିନି ସ୍ଥିତି । ଦୀର୍ଘ ଦିନର ପ୍ରତିବାଦ ପରେ ୫-ଟିରେ ରୂପାନ୍ତରିତ ନୂତନ କୋଠା ହସ୍ତାନ୍ତର କରାଗଲା । ଯେଉଁଠାରେ ପାଠ ପଢ଼ୁଛନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । କିନ୍ତୁ ପୁରୁଣା ବିଦ୍ୟାଳୟରେ ସମସ୍ୟା ହଟିଲାନି । ଏବେବି ଶ୍ରେଣୀଗୃହର ଅଭାବ ରହିଛି । ମାତ୍ର ୪ଟି ଶ୍ରେଣୀଗୃହରେ ବସୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଗୋଟିଏ ଘରେ କିଛି ପିଲା ତଳେ, ଆଉ କିଛି ପିଲା ଉପରେ ବସୁଛନ୍ତି । ଏମିତି ଚାଲିଛି ଶିକ୍ଷାଦାନ । ସେଥିରେ ପୁଣି ଶୌଚାଳୟ ଆହୁରି ଏକ ବଡ଼ ସମସ୍ୟା ।

ଅଧିକ ପଢ଼ନ୍ତୁ : ଜଳ ଯନ୍ତ୍ରଣାରେ କାମାକ୍ଷାନଗରର ଆଲୁଅଝରଣ ଗାଁ; ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ନୂତନ କୋଠାରେ ବି କମ୍‌ ଅସୁବିଧା ନାହିଁ । ସ୍ମାର୍ଟ କ୍ଲାସ୍‌ରୁମ, ଇ-ଲାଇବ୍ରେରୀ, ଲାବ୍ରୋଟୋରିର ସୁବିଧା ତ’ ରହିଛି। କିନ୍ତୁ କମ୍ପ୍ୟୁଟର ନାହିଁ । ଏସବୁ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହିତ ପ୍ରାଥମିକ ଶ୍ରେଣୀ ନିମନ୍ତେ ଅତିରିକ୍ତ ଶ୍ରେଣୀଗୃହର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି, ପ୍ରଶାସନ ସହ ଆଲୋଚନା କରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯିବ ।

ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଯୋଗୁଁ ଗୁଣାତ୍ମକ ଓ ଉନ୍ନତମାନର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।