Photograph: (KANAKNEWS)
କନକ ବ୍ୟୁରୋ : ପରିବହନ ବିଭାଗର ନିର୍ଦ୍ଦେଶନାମା ଜାରି ପରେ ପ୍ରଦୂଷଣ ପ୍ରମାଣ ପତ୍ର ଯୋଗାଡ଼ କରିବାରେ ଲାଗିଛନ୍ତି ଗାଡି ମାଲିକ । ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । କୌଣସି ଜରିମାନା ଥିଲେ ହନ୍ତସନ୍ତ ହେବାକୁ ପଡୁଛି। ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । କିଛି ଟଙ୍କା ଦେଲେ ବିନା ଯାଂଚରେ ମିଳିଯାଉଛି ପ୍ରଦୂଷଣ ପ୍ରମାଣ ପତ୍ର। ମାତ୍ର ଦୁଇ ମିନିଟରେ ନିଅନ୍ତୁ ପିୟୁସିସି। ଘରେ ଗାଡି ଥିଲେ ବି ବିନା ଯାଞ୍ଚରେ ପ୍ରମାଣପତ୍ର ଦେଉଛନ୍ତି ଦଲାଲ ।
ଜାତୀୟ ସ୍କୁଲ୍ ଗେମ୍ସ ବାଳକ ହକି: ଓଡ଼ିଶା ଉପବିଜେତା
ଆଉ ଏ ହେଉଛି ସେହି ଦଲାଲ ମାନଙ୍କର ଚିଠା। ସାଧାରଣ ପିୟୁସିସି ପାଇଁ ୩୦ଟଙ୍କା । ଚାଲଣ ଥିଲେ ୧୦୦। ମୋତେ ଯୋଗାଯୋଗ କରନ୍ତୁ, ଆଉ ସୁବିଧାରେ ପ୍ରଦୂଷଣ ପ୍ରମାଣପତ୍ର ପାଆନ୍ତୁ । ଏହିଭଳି କିଛି ମେସେଜକୁ ନେଇ ଆରମ୍ଭ ହୋଇଛି ଘଣ୍ଟା ଚକଟା । ଯେଉଁ ନମ୍ବରରୁ ମେସେଜ ଆସୁଛି, ସେମାନେ ଅତି ସହଜରେ ସାର୍ଟିଫିକେଟ୍ ଦେଉଛନ୍ତି । ପରିବହନ ବିଭାଗର ସ୍ବୀକୃତି ପ୍ରାପ୍ତ ପ୍ରଦୂଷଣ ଯାଞ୍ଚ ସେଣ୍ଟର ମାନେ ହିଁ ଏହି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି । ଯାହାକୁ ନେଇ ସାଇବର ଥାନା ଏହି ଦଲାଲଙ୍କୁ ସ୍କାନରରେ ରଖିଛି ।
ପେଟ୍ରୋଲ ଗାଡ଼ି ଯାଞ୍ଚ ପାଇଁ ଅତିକମରେ ୫ ମିନିଟ୍ ଓ ଡିଜେଲ ଗାଡ଼ି ୭ ମିନିଟ୍ ସମୟ ନେଉଥିବା ବେଳେ ମାତ୍ର ୨ ମିନିଟ୍ ଭିତରେ କେମିତି ପିୟୁସିସି ଦିଆଗଲା ? ସେନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ। ଅକ୍ଟୋବରରୁ ଜାନୁଆରି ୪ ତାରିଖ ଅର୍ଥାତ ୩ମାସ ଭିତରେ ୧୨ ଲକ୍ଷ ୨୮ ହଜାର ୧୮୫ ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇ ପ୍ରମାଣପତ୍ର ନେଇଛନ୍ତି । ସେଥିମଧ୍ୟରୁ ପାଖାପାଖି ୧ ଲକ୍ଷ ୮୧ ହଜାର ୮୫୮ଗାଡ଼ି ବାହାର ରାଜ୍ୟରୁ ପିୟୁସିସି କରିଛନ୍ତି । ଆଉ କେବଳ ୨୯ ଡିସେମ୍ବରରେ ୧୧ ହଜାର ୫୨୭ଟି ଗାଡ଼ିର ପିୟୁସିସି ହୋଇଥିଲା ।
ଯାହାକୁ ନେଇ ପରିବହନ ବିଭାଗର ସନ୍ଦେହ ବଢିଥିଲା । ଅଭିଯୋଗ ଆସିବା ପରେ, ମୋଟ୍ ୮୨୮ କେନ୍ଦ୍ରରୁ ୭୨ଟିକୁ ବନ୍ଦ କରାଯାଇଥିଲା। ଆଗକୁ ଯେଉଁ ସେଣ୍ଟର ଗୁଡିକ ନିର୍ଦ୍ଧାରିତ ସମୟରୁ କମ୍ ସମୟ ଭିତରେ ପିୟୁସିସି ଦେଇଥିବେ ସେମାନଙ୍କୁ ବ୍ଲାକ ଲିଷ୍ଟେଡ୍ କରିବ ପରିବହନ ବିଭାଗ । ମୋବାଇଲ ନମ୍ବର, ଗାଡି ନମ୍ବର, ଗାଡିର ଫଟୋ ଦେଇ ପିୟୁସିସି ପାଉଥିଲେ ଗାଡି ମାଲିକ। ଦଲାଲଙ୍କ ଉତ୍ପାତ ଓ ବେଆଇନ୍ ପିୟୁସିସିକୁ ନଜରରେ ରଖି ଆଗାମି ଦିନରେ ଆଧାର ଲିଙ୍କ ପାଇଁ ନିର୍ଦେଶ ଦେଇଛି ପରିବହନ ବିଭାଗ ।
Follow Us