କନକବ୍ୟୁରୋ : ଲୋକଙ୍କ ନିଦ ହଜାଇଛି ପ୍ରଦୂଷଣ ସାର୍ଟିଫିକେଟ୍ ।  ରାତି ନପାହୁଣୁ ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ର ପାଖେ ଲାଗୁଛି ଲମ୍ବା ଲାଇନ୍। ତା ସହ ପୂର୍ବ ବକେୟା ଫାଇନ୍ ପଇଠ ଲାଗି ବି ଟ୍ରାଫିକ୍ ଥାନା ଆଗରେ ଭିଡ଼ ଜମୁଛି  ।  ତେବେ ସାର୍ଟିଫିକେଟ୍ ନାଁରେ ଲୋକଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି  ।  ଖାସ୍ ଏଇଥିଲାଗି ଫାଇନ୍ ଭରିବାକୁ ଏବେ ଭିଡ ବଢୁଛି 

Advertisment

ଅଧିକ ପଢନ୍ତୁ... ବସ୍‌ ନା ଯମଦୂତ ; ୨୦୨୫ରେ ନେଇଛି ମୁଣ୍ଡ ପରେ ମୁଣ୍ଡ !

ଏ ହେଉଛି ଭୁବନେଶ୍ବର ଟ୍ରାଫିକ୍ ଥାନା ପରିସରର ଦୃଶ୍ୟ । ପୂର୍ବ ବକେୟା ଫାଇନ୍ ଭରିବାକୁ ଭିଡ଼ ଲଗାଇଛନ୍ତି ଗାଡ଼ି ମାଲିକ। ଦୀର୍ଘ ଦିନ ଧରି ଲୋକେ ଫାଇନ ଟଙ୍କା ଦେଉ ନଥିବା ବେଳେ ଏବେ ପଲ୍ୟୁସନ ସାର୍ଟିଫିକେଟ ପାଇଁ ପୂର୍ବ ଜରିମାନା ପୈଠ କରିବାକୁ ଧାଇଁଛନ୍ତି ।  ପୂର୍ବରୁ ଯଦି ଗାଡ଼ିରେ କୌଣସି ଫାଇନ ଥିବ ଓ ତାକୁ ପୈଠ କରାଯାଇ ନଥିବ ତେବେ ପାଲ୍ୟୁସନ ସାର୍ଟିଫିକେଟ ମିଳୁନାହିଁ  । 

ଏପଟେ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବାସଭବନ ଘେରିଛି ନବ ନିର୍ମାଣ ଯୁବଛାତ୍ର ସଂଗଠନ। ନିୟମ ନାଁରେ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିବା ସଂଘ ଅଭିଯୋଗ କରିଛି  ।  ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଲୋକଙ୍କ ସୁବିଧା ପାଇଁ ଆଇନ କରାଯାଇଛି। ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରିନ୍‌ ଷ୍ଟିକର  । 

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ। ପଲ୍ୟୁସନ ସାର୍ଟିଫିକେଟ ନଥିଲେ କଟୁଛି ୧୦ ହଜାର ଟଙ୍କାର ଫାଇନ । ତେଣୁ ୧୦ ହଜାର ଟଙ୍କା ଚାଲାଣ ଭୟରେ ପୂର୍ବ ଫାଇନଗୁଡିକ ପଇଠ କରି ପ୍ରଦୂଷଣ ପ୍ରମାଣପତ୍ର ବାହାର କରୁଛନ୍ତି ଲୋକ। ଏଠି ପ୍ରଶ୍ନ ଉଠୁଛି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର, ନା ଫାଇନ୍ ଆଦାୟ ଯୋଜନା?