କନକ ବ୍ୟୁରୋ : ଢ଼େଙ୍କାନାଳ ପୌର ସଂସ୍ଥା ପକ୍ଷରୁ ଜବର ଦଖଲ ଉଚ୍ଛେଦକୁ ନେଇ ତେଜୁଚି ରାଜନୀତି । କଲେଜ ବାଇପାସ୍ ଠାରୁ ବସ ଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ଵରୁ ଜବର ଦଖଲ ଉଚ୍ଛେଦକୁ ଜିଲ୍ଲା ବିଜେଡି କାଉନସିଲର ତଥା ଖୋଦ୍ ଉପ ନଗରପାଳ ପ୍ରତିବାଦ କରିବା ଘଟଣା ଏବେ ଚର୍ଚ୍ଚା ହେଉଛି । ଉଠା ଦୋକାନୀ ମାନେ ପାର୍କିଂ ସ୍ଥାନକୁ କବ୍ଜା କରି ଟ୍ରାଫିକ ସମସ୍ୟା ସୃଷ୍ଟିକୁ ନଜର ଅନ୍ଦାଜ କରୁଛି ପୌର ପ୍ରଶାସନ ।

Advertisment

ଢେଙ୍କାନାଳ କଲେଜ ବାଇପାସ୍ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ୪ଟି ଜେସିବି, ସଂଖ୍ୟାଧିକ ପୁଲିସ ମୁତୟନ ହୋଇଛନ୍ତି । ସୌନ୍ଦର୍ଯ୍ୟୀକରଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି । ଯାହାକୁ ବିରୋଧ କରିଛନ୍ତି ଖୋଦ ବିଜେଡି କାଉନ୍‌ସିଲର୍‌ ଓ ଉପନଗରପାଳ । ଗଣେଶ ବଜାର ମେଡିକାଲ ଛକ ଓ ବାଜିଚୌକ ଫ୍ଲାଏ ଓଭର୍‌ ରାସ୍ତାର ଉଭୟ ପାଖର ସରକାରୀ ଜାଗା ପ୍ରଭାବଶାଳୀଙ୍କ କବଜାରେ ! ରହିଛି, ଯାହା ପ୍ରକୃତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି । ବଡ଼ବଡ଼ିଆ ବାବୁଙ୍କ ପ୍ରତି ଦରଦ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଉପନଗରପାଳ ।

ଅଧିକ ପଢ଼ନ୍ତୁ---କୋରାପୁଟରେ ନାହିଁ ମକା ମଣ୍ଡି ; ହତାଶ ହେଉଛି ଚାଷୀ

ଗତ ବର୍ଷ ଗଜଲକ୍ଷ୍ମୀ ପୂଜା ପୁର୍ବରୁ ଢେଙ୍କାନାଳ ମୁଖ୍ୟ ବଜାର ରାସ୍ତା ପ୍ରଶସ୍ତିକରଣ କରାଯାଇ ଉଭୟ ପଟେ ପାର୍କିଂ ନେଇ ଚିହ୍ନଟ କରାଯାଇଥିଲା । ହେଲେ ଏବେ ସେଠାରେ ଉଠା ଦୋକାନୀ ବେପାର କରୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ମେଡିକାଲ ମୁଖ୍ୟ ରାସ୍ତାକୁ ସଂକୀର୍ଣ୍ଣ କରିବା ଫଳରେ ଆମ୍ବୁଲାନ୍ସ ସେବାରେ ବିଳମ୍ୱ ଘଟୁଛି । ଏପରିକି ଭେଣ୍ଡିଂ ଜୋନ୍‌ରେ ଦୋକାନ ନେଉଥିବା ବ୍ୟବସାୟୀ ବି ରାସ୍ତା ଅବରୋଧ କରି ବସୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପୌରପାଳିକାର ନିଘା ନାହିଁ! ଏନେଇ ପୌର ନିର୍ବାହୀ ଅଧିକାରୀ ସ୍ପଷ୍ଟ ମତ ନଦେବା ରାଜନୀତି କରଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଢେଙ୍କାନାଳ ପୌରସଂସ୍ଥା କ୍ଷମତା ଏବେ ବିଜେପି ହାତରେ । ତେଣୁ ମନଇଚ୍ଛା ଉଚ୍ଛେଦ ଚାଲୁଥିବା ଅଭିଯୋଗ ହେଉଛି ।