କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ମୁଣ୍ଡ ଟେକିଛି ବିବାଦ। ବିଜେପି ଏହାକୁ ବିରୋଧ କରି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପର ପ୍ରତି ବିଷ ଓଗାଳିଛନ୍ତି, ଯାହା ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାରେ। ରାୟଗଡ଼ା କଂଗ୍ରେସ ପକ୍ଷରୁ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ଗଜପତି ଛକରେ ନିର୍ମାଣ ସହ ଚତୁପାର୍ଶ୍ବର ସୌନ୍ଦର୍ଜୀାକରଣ ଚାଲିଛି। ପ୍ରତିମୂର୍ତ୍ତି ଉନ୍ମୋଚନ ନେଇ ତାରିଖ ନିର୍ଦ୍ଧାରିତ ହୋଇସାରିଥିବା ବେଳେ ବିଜେପି କିନ୍ତୁ ଏହାକୁ କରୁଛି ତୀବ୍ର ବିରୋଧ। ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମେ ୮ ତାରିଖରେ ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ୧୩ତମ ସାଧାରଣ ପରିଷଦ ବୈଠକରେ ଭଗବାନ ବିର୍ସା ମୁଣ୍ଡା ଓ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଏଥିପାଇଁ ପୌର କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକରେ ଜାଗା ଚିହ୍ନଟ ହୋଇଥିଲା। ସେଇଠାରେ ହିଁ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବିଜେପି କିନ୍ତୁ ଏବେ ଏହାକୁ ବିରୋଧ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି ଯେ ସେହି ସ୍ଥାନରେ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରହିଛି । ଏଣୁ ଜାଗାଟି ଗଜପତି ଛକ ନାମରେ ନାମିତ । ଯଦି ସେହି ସ୍ଥାନରେ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ, ତେବେ ଏହା ଗଜପତିଙ୍କ ପ୍ରତି ହେବ ଅପମାନ। ଯଦି ମୂର୍ତ୍ତି ସ୍ଥାପନ ହେବ ତାହା ହେଲେ ସେହିସ୍ଥାନରେ ପ୍ରସ୍ତାବିତ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ନହେଲେ ଅନ୍ୟ କୌଣସି ମୂର୍ତ୍ତି ସ୍ଥାପନ କରିବାକୁ ଦିଆଯିବ ନାହିଁ । ୧୦ ହଜାର ଆଦିବାସୀଙ୍କୁ ନେଇ ଏହାକୁ ବିରୋଧ କରାଯିବ ବୋଲି ବିଜେପି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ବି ଚୁପ ବସିନି। କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିବା ସହ ଯେକୌଣସି ପରିସ୍ଥିତିରେ ବି ସେହି ଜାଗାରେ ହିଁ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହା ହେବ ଦେଖାଯିବ ବୋଲି କହିଛି କଂଗ୍ରେସ। ତେବେ ଏନେଇ କୌଣସି ପ୍ରାଶାସନିକ ଅଧିକାରୀ ମୁହଁ ଖୋଲିବାକୁ ନାରାଜ।
ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣା ; ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି
- ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ହେଉଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା
- ୧୯୬୨ ମସିହାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ସ୍ବର୍ଗତ ଉଲ୍ଲାକା
- ସେ ୨ ଥର ସାସଂଦ, ୭ ଥର ବିଧାୟକ ଓ ୪ ଥର ମନ୍ତ୍ରୀ ଥିଲେ
- ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଉନ୍ନତି ପାଇଁ ସେ ବହୁତ କାମ କରିଛନ୍ତି
- ଚଳିତ ମାସ ୨୪ ତାରିଖ ଦିନ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଶ୍ରାଦ୍ଧ ଦିବସ
- ସେହିଦିନ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଦିନ ଧାର୍ଯ୍ୟ
- ପ୍ରତିମୂର୍ତ୍ତି ସ୍ଥାପନରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହେବ
- ଯୋଗ ଦେବେ ଛତିଶଗଡ଼ର ପୂର୍ବତନ ମୂଖ୍ୟମନ୍ତ୍ରୀ ଭୂପେଶ ବାଘେଲ
- ପିସିସି ସଭାପତି ଭକ୍ତ ଚରଣ ଦାଶ, ପୂର୍ବତନ ପିସିସି ସଭାପତି ବି ଆସିବେ
- କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା
Follow Us