କନକବ୍ୟୁରୋ : ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ବିଜେଡି କର୍ମୀଙ୍କ ଧାରଣା । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଗିରଫ ଦାବିରେ ସାରା ରାତି ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକ ।  ଗତକାଲି  ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମାନେ ଏକ ଭୋଜିର ଆୟୋଜନ କରି, ଖାଉଥିବା ଅବସ୍ଥାରେ ଲିକୁ ସାହୁ ଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜିତୁଙ୍କ ସମର୍ଥକ ।  ଏପରିକି ମହିଳାଙ୍କୁ ଖରାପ ଭାଷରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ସମର୍ଥକ ।  ଏନେଇ ବିଜେଡି ୧୦୦ରୁ ଅଧିକ ଲିକୁ ସାହୁଙ୍କ ସମର୍ଥକଙ୍କ ନାଁରେ ଏତାଲା ଦେଇଛି ।  ବିଜେଡି କହିଛି, ଧର୍ମଶାଳାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

Advertisment

ଦିଲ୍ଲୀରୁ ଭକ୍ତଙ୍କ ଚେତାବନୀ; କହିଲେ, ବିଜେପି ସହ ସମ୍ପର୍କରେ ଥିବା ଲୋକ ଦଳ ଛାଡିଯିବା ଉଚିତ୍

ଜିଲ୍ଲା ପୁଲିସ ଉପରେ ଆମର ଭରସା ନାହିଁ ।  ସେଥିପାଇଁ ଡିଜିଙ୍କୁ ଭେଟିବାକୁ ଆସିଛୁ । ଯେପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯିବ ଆମେ ଏହି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରଖିବୁ ବୋଲି କହିଛନ୍ତି ପ୍ରଣବ ବଳବନ୍ତ ରାୟ ଓ ତାଙ୍କ ସମର୍ଥକ  ।  ଯେପର୍ୟ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।

ଧର୍ମଶାଳା ଗଣ୍ଡଗୋଳକୁ ନେଇ ବିଜେଡି ନେତା ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଜେନାପୁର ଥାନା ଆଗରେ ଧାରଣା ଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁ ପରିସ୍ଥିତି ଗୋଟେ ପ୍ରକାର ଉତ୍ତେଜନ ପୂର୍ଣ୍ଣ ରହିଛି। ଗତକାଲି ଗଣ୍ଡଗୋଳ ପରେ ଧର୍ମଶାଳା ବିଧାୟକଙ୍କ ସମର୍ଥକ ସୁନିଲ କୁମାର ପଣ୍ଡା ଜେନାପୁର ଥାନାରେ ଏତଲା ଦେଇଥିଲେ । ତେବେ ରାତି ତିନିଟା ରୁ ହିମାଂଶୁ ଙ୍କ ସମର୍ଥକ ମାନେ ଜେନାପୁର ଥାନା ଆଗରେ ଧାରଣା ଦେଇଛନ୍ତି। 
 

ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ କମେଣ୍ଟକୁ ନେଇ ଧର୍ମଶାଳାରେ ତୁମୁଳକାଣ୍ଡ ଘଟିଛି ।  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ପରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମାରପିଟ୍‌, ଭଙ୍ଗାରୁଜା ହୋଇଛି  ।  ଏହି ଗଣ୍ଡଗୋଳ ହିମାଂଶୁ ଶେଖର ସାହୁ ଓ ପ୍ରଣବଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଛି ।  ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହେଇଛନ୍ତି ।  ପ୍ରଣବଙ୍କ କିଛି ସମର୍ଥକ ପନ୍ତୁରି ନିକଟ ଫାର୍ମ ହାଉସରେ ଭୋଜି କରୁଥିବା ବେଳେ ଏହି ଗଣ୍ଡଗୋଳ ଘଟିଛି ।

ତେବେ ବିଜେଡି କର୍ମୀ ମାନେ ଭୋଜି କରୁଥିବା ବେଳେ ହିମାଂଶୁ ଙ୍କ ସମର୍ଥକ ଅଚାନକ ଆକ୍ରମଣ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଗଣ୍ଡଗୋଳରେ କେତେକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଆହତ ମାନଙ୍କୁ ଜେନାପୁର ପୁଲିସ୍  ଉଦ୍ଧାର କରିଛି । ଅନ୍ୟ ପକ୍ଷରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସେହି ବାଟ ଦେଇ ଯାଉଥିବା ସମୟରେ ପ୍ରଣବଙ୍କ ସମର୍ଥକ ମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିବା ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଗଣ୍ଡଗୋଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ହିମାଂଶୁ ଶେଖର ସାହୁ ।