Eknath Shinde Photograph: (Kanak news)
କନକ ବ୍ୟୁରୋ : ମୁମ୍ବାଇରେ ରିସୋର୍ଟ ରାଜନୀତି ପୁଣିଥରେ ଫେରିଛି । ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି- ଶିବସେନା (ସିନ୍ଦେ)ଙ୍କ ନେତୃତ୍ବାଧୀନ ମହାୟୁତି ମେଣ୍ଟକୁ ବଡ଼ ସଫଳତା ମିଳିବାପରେ ଏବେ ମେୟର ପଦକୁ ନେଇ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି । ବିଜେପି ନା ଏକନାଥ ସିନ୍ଦେଙ୍କ ଶିବସେନା ଦଳରୁ କିଏ ମେୟର ହେବେ ସେନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁମ୍ବାଇରେ ସିନ୍ଦେ ଶିବିର କିଙ୍ଗମେକର ହୋଇଥିବାରୁ ଜଣେ ସେନା କର୍ପୋରେଟରଙ୍କୁ ଏହି ସମ୍ମାନଜନକ ପଦ ମିଳୁ ବୋଲି ସିନ୍ଦେ ଶିବିର ଚାହୁଛି । ଉକ୍ତ ପଦବି ସେନା ସହ ପାରମ୍ପରିକ ଭାବେ ରହିଛି ଏବଂ କିଛି କର୍ପୋରେଟର ମଧ୍ୟ ସେନା ସହ ଏହି ପଦବି ଜଡ଼ିତ ରଖିବାକୁ ଚାହିଛନ୍ତି ।
ଏତିକିବେଳେ ପୁଣି ଏକନାଥ ସିନ୍ଦେ ତାଙ୍କ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏକ ପଞ୍ଚ ତାରକା ହୋଟେଲକୁ ଡାକିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ମୁମ୍ବାଇ ମହାନଗର ନିଗମରେ ଏବେ କ୍ଷମତାକୁ ନେଇ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି । ଦଳୀୟ ସୂତ୍ର ଅନୁଯାୟୀ ସିନ୍ଦେ ସେନା ଟିକେଟରେ ନିର୍ବାଚିତ ହୋଇଥିବା ୨୯ କର୍ପୋରେଟରଙ୍କୁ ବୁଧବାର ଅପରାହ୍ନ ୩ଟା ସୁଦ୍ଧା ବାନ୍ଦ୍ରାର ତାଜ ଲାଣ୍ଡ୍ସ ଏଣ୍ଡ ହୋଟେଲରେ ପହଞ୍ଚିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେଠାରେ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ରହିବାପାଇଁ କୁହାଯାଇଛି । ମୁମ୍ବାଇ ମହାନଗର ନିଗମରେ ଏବେ ନେତୃତ୍ବକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିବାବେଳେ ହର୍ସ ଟ୍ରେଡିଂ ଭୟରେ ସିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ---ହାୱଡାରୁ କାମାକ୍ଷା ଲାଗିବ ୧୪ ଘଣ୍ଟା: ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇରେ ଦୀର୍ଘ ୨୮ ବର୍ଷ ପରେ ଠାକ୍ରେ ଗଡ଼କୁ ଭାଙ୍ଗି ମହାୟୁତି ମେଣ୍ଟ ବିଜୟ ହାସଲ କରିଛି । ତେବେ କୌଣସି ଗୋଟିଏ ବି ଦଳ ଏଠାରେ ନିଜସ୍ବ ଭାବେ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି । ସିନ୍ଦେ ତାଙ୍କ ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ହୋଟେଲକୁ ଡାକିବାର ୨ଟି କାରଣ ଥାଇପାରେ । ଏଥିମଧ୍ୟରୁ ଗୋଟିଏ କାରଣ ହେଉଛି ସମସ୍ତ ବିରୋଧୀ ଦଳ ଏକାଠି ହାତ ମିଳାଇବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ । ତେବେ ଏକାଠି ହାତ ମିଳାଇଲେ ମଧ୍ୟ ବିରୋଧୀ ମେଣ୍ଟକୁ ବିଏମ୍ସି ଦଖଲ ପାଇଁ ଆହୁରି ୮ ଜଣ ନିର୍ବାଚିତ ସଦସ୍ୟମାନଙ୍କର ସମର୍ଥନ ଦରକାର । ତେଣୁ ଏଥିପାଇଁ ହର୍ସ ଟ୍ରେଡିଂ ଆରମ୍ଭ ହୋଇପାରେ । ଏହି ଭୟରେ ଏକନାଥ ସିନ୍ଦେ ତାଙ୍କ ଦଳର ନିର୍ବାଚିତ କର୍ପୋରେଟରମାନଙ୍କୁ ହୋଟେଲକୁ ଡାକି ଥାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟ କାରଣଟି ହେଉଛି ଦଳରେ ମଧ୍ୟ ମେୟର ପଦକୁ ନେଇ କୌଣସି ପ୍ରକାର ସାଲିସ ନକରିବାପାଇଁ ଚାପ ପଡ଼ୁଛି । ଏକନାଥ ସିନ୍ଦେ ଏବେ ବିଜେପି ସହ କ୍ଷମତାକୁ ନେଇ ବାର୍ଗେନିଂ ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ ଯେ ୨୨୭ ୱାର୍ଡ ବିଶିଷ୍ଟ ମୁମ୍ବାଇରେ ମେଜୋରିଟି ମାର୍କ ହେଉଛି ୧୧୪ । ବିଜେପି ଏଠାରେ ୮୯ ଆସନରେ ଜିତିଥିବାବେଳେ ସିନ୍ଦେ ସେନା ୨୯ ଆସନରେ ଜିତିଛି। ଉଭୟଙ୍କ ସଂଖ୍ୟା ମିଶିଲେ ୧୧୮ । ତେଣୁ ଉଭୟ ଦଳ ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଏହାବାଦ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ୩ଟି ୱାର୍ଡରେ ଜିତିଛି । ଅପରପାର୍ଶ୍ବରେ ଶିବସେନା (ୟୁବିଟି) ଏବଂ ମହାରାଷ୍ଟ୍ର ନିର୍ମାଣ ସେନା (ଏମଏନଏସ) ଏବଂ ଏନ୍ସିପି (ଶରଦ ପାୱାର) ଏକାଠି ନିର୍ବାଚନ ଲଢ଼ିଛନ୍ତି । ସେନା (ୟୁବିଟି) ୬୫ ୱାର୍ଡରେ ଜିତିଥିବାବେଳେ , ଏମଏନଏସ ୬ ଆସନରେ ଏବଂ ଏନ୍ସିପି (ଏସ୍ପି) ଗୋଟିଏ ଆସନରେ ଜିତିଛି। ଏକାଠି ଏମାନଙ୍କ ସଂଖ୍ୟା ୭୨ ରହିଛି । ପୃଥକ ଭାବେ କଂଗ୍ରେସ ୨୪ ୱାର୍ଡରେ, ଏଆଇଏମ୍ଆଇଏମ୍ ୮ଟି ୱାର୍ଡ ଏବଂ ସମାଜବାଦୀ ପାର୍ଟି ୨ଟି ୱାର୍ଡରେ ଜିତିଛି । ଯଦି ବିଜେପି ନେତୃତ୍ବାଧୀନ ମେଣ୍ଟ ହାତକୁ ବିଏମ୍ସି ନଦେବାପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହୁହନ୍ତି ତେବେ ସେମାନଙ୍କ ସଂଖ୍ୟା ୧୦୬ରେ ପହଞ୍ଚିବ । ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୮ଟି ସଂଖ୍ୟା ଦରକାର। ଏଠାରେ ହର୍ସ ଟ୍ରେଡିଂର ଭୟ ଉପୁଜୁଛି । ଯଦି ବିରୋଧୀ ଦଳ ଗୁଡ଼ିକ ମହାୟୁତି ମେଣ୍ଟର ୮ ଜଣ କର୍ପୋରେଟରଙ୍କ ମନାଇବାରେ ସକ୍ଷମ ହୋଇଯିବେ ତେବେ ବାଜି ପୂରା ପଲଟିଯିବ ।
Follow Us