କନକ ବ୍ୟୁରୋ: ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଟପ୍ ମାଓ ନେତାଙ୍କ ସମେତ ୪ ନକ୍ସଲ ନିପାତ ପରେ ଏବେ ପୁଲିସ ସ୍କାନରରେ ନକ୍ସଲ କମାଣ୍ଡର ସୁରେଶ । ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ୍ ପରେ ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼ । ଏହାରି ଭିତରେ ଏକଦା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ନକ୍ସଲ କମାଣ୍ଡର ସୁରେଶ ପତିଆରା ହରାଇବସିଛି । ସୁରେଶର ପିଛା କରୁଛନ୍ତି ୩ ରାଜ୍ୟର ପୁଲିସ । ତେଣୁ ବଞ୍ଚିବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି । ଆତ୍ମସମର୍ପଣ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ଯେଉଁଭଳି ଭାବେ ଅପରେସନ୍ ଚାଲିଛି, ସୁରେଶ ଆଉ ବେଶି ଦିନ ଚକମା ଦେଇପାରିବ ନାହିଁ ବୋଲି ସୂଚନା ମିଳିଛି ।
ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍ର ସକ୍ରିୟ ସଦସ୍ୟ ସୁରେଶ । ଏହି ଡିଭିଜନ୍ର ଅନେକ ଟପ୍ ନେତା ନିହତ ହୋଇଥିବାବେଳେ ଅନେକ ଆତ୍ମସମର୍ପଣ କରିସାରିଲେଣି । ଏକୁଟିଆ ହୋଇଯାଇଥିବା ଏହି ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ଅତ୍ୟନ୍ତ ବିଶ୍ବସ୍ତ ସାଥୀଙ୍କୁ ଧରି କିଛି ଦିନ ହେଲା ଆନ୍ଧ୍ର, ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ବୁଲୁଛି । ବହୁ ସମୟ ସେ ଓଡ଼ିଶା ସୀମାରେ ରହୁଥିବା ନେଇ ମାଲକାନଗିରି ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଛି । ତେଣୁ ଗୋଟିଏ ପରେ ଗୋଟିଏ ଖସିବା ବାଟ ବନ୍ଦ କରାଯାଉଛି । ସର୍ଚ୍ଚ ଅପରେସନ୍ ଜୋରଦାର ଚାଲିଛି । କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟର ପୂର୍ବ ସହଯୋଗୀ ସୁରେଶ ହୋଇଥିବାରୁ ପୁଲିସ ପାଇଁ ଏବେ ସେ ମୋଷ୍ଟ ୱାଣ୍ଟେଡ୍ ।
ଆହୁରି ପଢ଼ନ୍ତୁ... ବଢ଼ିଲା ଏସ୍ଓଜି ଯବାନ ଓ ଅଧିକାରୀଙ୍କ ଭତ୍ତା: ରିସ୍କ ଆଲାଉନ୍ସ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଏନ୍କାଉଣ୍ଟରରେ ଉଦୟ ନିହତ ହେବା ପରେ ସୁରେଶ ସଂଗଠନକୁ ବଳ ଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ଅନେକ ସାଥୀ ଆତ୍ମସମର୍ପଣ କରିବା ଯୋଗୁଁ ସେହି ପ୍ରୟାସ ବିଫଳ ହୋଇଛି । ୨୦ରୁ ୨୫ ବର୍ଷ ଧରି ସଂଗଠନର ସକ୍ରିୟ ସଦସ୍ୟ ଭାବେ କାମ କରିଥିବା ସୁରେଶ ଏବେ ୫୫ ବର୍ଷ ବୟସରେ ରୋଗଗ୍ରସ୍ତ । ସରକାର ତା’ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଯଦି ସୁରେଶ ଆତ୍ମସମର୍ପଣ କରେ ତେବେ ଆତ୍ମନିର୍ଭରଶୀଳ ଏବଂ ପୁନର୍ବାସ ନୀତିରେ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ହିଂସାରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ । ତେଣୁ ଯେଉଁମାନେ ହିଂସାରେ ଲିପ୍ତ ଅଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏସଓଜି ଚନ୍ଦକାର ନୂତନ ପ୍ରତିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର, ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ଅବସରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ। ନିକଟରେ ମାଲକାନଗିରି ଜିଲ୍ଲାରେ ୨୨ଜଣ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏ ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/26/maosist-2025-12-26-08-14-54.jpg)