କନକ ବ୍ୟୁରୋ: ମାତିଛନ୍ତି ପଥରମାଫିଆ । ଶିମିଳିପାଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ବଫରଜୋନରେ ଚାଲିଛି ବେଆଇନ ବିସ୍ଫୋରଣ । ଆଉ ସବୁ ଦେଖି ଚୁପ ବସିଛି ଜଙ୍ଗଲ ବିଭାଗ । ଢେଙ୍କାନାଳରେ ବି ଖୋଲାଖୋଲି ପଥର ଲୁଟ୍ ଚାଲିଛି । ଦିନରାତି ପାହାଡ଼ରେ ଚାଲିଛି ବେଆଇନ୍‌ ବିସ୍ଫୋରଣ ।

Advertisment

ଶିମିଳିପାଳର ଛାତି ଚିରି ପଥର ଚୋରି
ମାଲାମାଲ ମାଫିଆ, ବନ ବିଭାଗ ଜଳକା

ଶିମିଳିପାଳର ଇକୋ ସେନ୍‌ସିଟିଭ ଏରିଆ । ବଫର ଜୋନରେ ବେଆଇନ୍‌ ବିସ୍ଫୋରଣ। ମାତିଛନ୍ତି ମାଫିଆ, ବେଧଡ଼କ ଫଟାଯାଉଛି ପାହାଡ଼ । ବ୍ୟାଘ୍ର ଅଭୟାରଣ୍ୟର ବୁକୁ ଚିରି ଲୁଟୁଛନ୍ତି । ଲୁଚି ଛପି ନୁହେଁ, ବରଂ ବନସୁରକ୍ଷା କାର୍ଯ୍ୟାଳୟ ସାମ୍ନାରେ ଏସବୁ ଚାଲିଛି । କାର୍ଯ୍ୟାଳୟ ଚାରିପଟକୁ ଏମିତି ସଜେଇ ଦେଇଛନ୍ତି, ମନେହେଉଛି, ଯେମିତି ଗୋଟିଏ ପଥର ଗୋଦାମ । ସବୁ ଦେଖି ଚୁପ୍ ବସିଛି ଜଙ୍ଗଲ ବିଭାଗ । ହେଲେ ଶିମିଳିପାଳର ବଡ଼ପଥର ଅଞ୍ଚଳର ବହଳଦା ଜଙ୍ଗଲରେ ମାଫିଆଙ୍କ ଲୁଟ୍‌ତରାଜକୁ ସାମ୍ନାକୁ ଆଣିବା ଲାଗି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କନକ ନ୍ୟୁଜ୍‌ । ଆମ କ୍ୟାମେରାରେ ଯାହା କଏଦ ହୋଇଛି ତାହା ପ୍ରମାଣ କରିଛି ମାଫିଆ-ଜଙ୍ଗଲ ବିଭାଗ ପରସ୍ପର ଠାରୁ ଦୂରରେ ନାହାନ୍ତି ।

ଅଧିକ ପଢ଼ନ୍ତୁ--- କ୍ଷେତରେ ହସୁଥିଲା ଫସଲ; କ୍ଷତ ସୃଷ୍ଟି କଲା ସମ୍ଭାବ୍ୟ ବାତ୍ୟା

ମୟୂରଭଞ୍ଜରୁ ଢେଙ୍କାନାଳ
ସବୁଠି ମାତିଛନ୍ତି ପଥର ମାଫିଆ

ଡେଙ୍କାନାଳରେ ବି ଖୋଲାଖୋଲି ପଥର ଲୁଟ୍ ଚାଲିଛି । ଦିନରାତି ପାହାଡ଼ରେ ଚାଲିଛି ବେଆଇନ୍‌ ବିସ୍ଫୋରଣ । ପଥର ଫଟା ଯୋଗୁଁ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଧନଜୀବନ ହାନୀ ଘଟୁଛି । ସରକାର କୋଟିକୋଟିର ରାଜସ୍ୱ ହରାଉଛନ୍ତି, ହେଲେ ଚେତୁନାହାନ୍ତି ଖଣି ଅଧିକାରୀ କି ତତ୍ପରତା ଦେଖାଉନି ପ୍ରଶାସନ । ଜଙ୍ଗଲରେ ଜନ୍ତୁଙ୍କୁ ଦିଆଯାଇପାରୁନାହିଁ ସୁରକ୍ଷା । ଏହାକୁ ନେଇ ସବୁଠି ଉଦ୍‌ବେଗ । ବଦନାମ ହେଉଛନ୍ତି ସରକାର । ହେଲେ ତାକୁ ବଳିଗଲାଣି ପଥର ମାଫିଆଙ୍କ ହରକତ । ଜଙ୍ଗଲ ବିଭାଗରେ ଜଙ୍ଗଲିରାଜ ଚାଲିଛି କି? ଏବେ ଜୋର ଧରିଲାଣି ଏମିତି ଚର୍ଚ୍ଚା ।