କନକ ବ୍ୟୁରୋ : ଫେବ୍ରୁଆରି ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା । ସେଥିପାଇଁ ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍‌’ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରି କାଗଜପତ୍ର ପଠାଯିବ । ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ତେଣୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ପରିବହନ ସମୟରେ ଜଣେ ବନ୍ଧୁକଧାରୀ ପୁଲିସ ଗାଡ଼ିରେ ରହିବେ ।ଏଥର  ଯୁକ୍ତ୨ରେ ୧୩୫୭ଟି ପରୀକ୍ଷାକେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତବର୍ଷ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ସବ୍‌-ଟ୍ରେଜେରିକୁ ୨୧୧ଟି ହବ୍‌ ଭାବେ ଚିହ୍ନଟ କରାଯାଇଛି । କଲେଜ ଅଧ୍ୟକ୍ଷମାନେ ମୁଖ୍ୟତଃ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ।

Advertisment

ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି । ସୁପରଭାଇଜରଙ୍କ ବ୍ୟତୀତ ଇଏମ୍‌ଏଚ୍‌ରେ ଡେପୁଟି ସୁପରଭାଇଜର, ଇଏମ୍‌ଏଚ୍‌ ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ହବ୍‌ ଦାୟିତ୍ବରେ ରହିଛନ୍ତି । ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ପୁଲିସ ପହରା ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବ । କୌଣସି ବି ପରିସ୍ଥିତିରେ ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ ।

ଅଧିକ ପଢନ୍ତୁ : ଜାନୁଆରୀ ୧୫ରୁ ଯୁକ୍ତ ୨ ପ୍ରାକ୍ଟିକାଲ ଓ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨  ଥିଓରି ପରୀକ୍ଷା

ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ । ପରିଷଦ କିମ୍ବା ହବ୍‌ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯାଇପାରିବ ନାହିଁ । ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ ସୁପରଭାଇଜରମାନେ ରୁଟ୍‌ଚାର୍ଟ ପ୍ରସ୍ତୁତ କରିବେ । ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଶ୍ନପତ୍ର ଗ୍ରହଣ କରିବେ । ଷ୍ଟ୍ରଙ୍ଗ୍‌ରୁମ୍‌କୁ ଅସ୍ଥାୟୀ ଟ୍ରେଜର୍‌ ଭାବେ ଘୋଷଣା କରାଯିବ । ପ୍ରତି ହବ୍‌ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍‌ ଗଠନ କରାଯିବ, ଯେଉଁମାନେ କି ଅବ୍‌ଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ ।