କନକ ବ୍ୟୁରୋ : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ ମୋଟ ୪ଲକ୍ଷ ୧୬ଶହ ୨୩ଜଣ ଛାତ୍ରଛାତ୍ରୀ । କଳା ବିଭାଗରେ ୨ ଲକ୍ଷ ୫୬ ହଜାର ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ବାଣିଜ୍ୟରେ ୨୪ ହଜାର ୬୨୧ ଜଣ, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୪ ହଜାର ୩୬୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୯୩୨ ଜଣ ପରୀକ୍ଷା ଦେବେ । ଏଥିପାଇଁ ସାରା ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ହୋଇଛି । ଫେବ୍ରୁଆରି ୨୮ ତାରିଖ ଯାଏ ମେଟ ୨୩ଟି ସିଟିଂରେ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧ଟାରେ ଶେଷ ହେବ । ପ୍ରଥମ ଥର ପାଇଁ ଏଆଇ ନଜରରେ ରହିବ ପରୀକ୍ଷା ପରିଚାଳନା ହବ୍ ।
ହବ୍କୁ କୌଣସି ବ୍ୟକ୍ତି ପ୍ରବେଶ କଲେ ସଙ୍ଗେ ସଙ୍ଗେ ମୁଖ୍ୟାଳୟକୁ ଆଲର୍ଟ କରିବ ଏଆଇ
ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଖୋଲିଛି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ଷ୍ଟ୍ରଙ୍ଗରୁମରେ ଗୋଟିଏ ହିଁ ପ୍ରବେଶ ପଥ ରହିବ, ଯେଉଁଠି ଗ୍ରିଲ୍ ସହ କବାଟ ବ୍ୟବସ୍ଥା କରାଯିବ
ହବ ଓ ହବ୍ ବାହାରେ ପୋଲିସର କଡା ପ୍ରହରା ରହିବ
ସ୍ୱଚ୍ଛ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ନିଜ ମୋବାଇଲ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଜମା ରହିବ
ଘଣ୍ଟି ବାଜିବା ପୂର୍ବରୁ କୌଣସି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଛାଡିଲେ ତାଙ୍କୁ ପ୍ରଶ୍ନପତ୍ର ବାହାରକୁ ନେବାକୁ ଅନୁମତି ଦିଆଯିବନି
ପରୀକ୍ଷା ଦିନ ସକାଳ ସାଢେ ୮ଟା ସୁଦ୍ଧା ପ୍ରଶ୍ନପତ୍ର ପ୍ୟାକେଟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ
କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ପର୍ଯ୍ୟବେକ୍ଷକ, ପରୀକ୍ଷା ନୀରିକ୍ଷକ ଏବଂ ଜିଲ୍ଲା ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ଖୋଲାଯିବ
ପରୀକ୍ଷାର୍ଥୀଙ୍କୁ ଦ୍ୱି-ସ୍ତରୀୟ ଯାଞ୍ଚ କରି ପରୀକ୍ଷା କେନ୍ଦ୍ରକୁ ଛଡାଯିବ
ଅଧିକ ପଢନ୍ତୁ : ଆରମ୍ଭ ହେଲା ପରୀକ୍ଷା ଋତୁ ; ମାର୍ଗଦର୍ଶିକା ଜାରି କଲେ କର୍ତ୍ତୁପକ୍ଷ
ଏପଟେ ପିଲାଙ୍କ ଭବିଷ୍ୟତ ସହ ଖେଳ । ଘରୋଇ ଶିକ୍ଷାନୁଷ୍ଠାନର ଭୁଲ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୫ ଛାତ୍ର ଛାତ୍ରୀ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରୁ ବାଦ ପଡିଲେ ୫ ଛାତ୍ର ଛାତ୍ରୀ । ଗଜପତି ଜିଲ୍ଲା କାଶୀନଗର ସ୍ମାର୍ଟ ସ୍କୁଲରୁ ଆସିଛି ଏଭଳି ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରଛାତ୍ରୀଙ୍କ ଅବିଭାବକ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପାଠ ପଢୁଥିବା ସମସ୍ତ ୫ ଜଣ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ଅଛନ୍ତି । ସୋମବାର ପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନଥିବା ବେଳେ ଆଡମିଟ କାର୍ଡ ପାଇଁ ସମୟ ମାଗି ଆସୁଥିବା ଅଭିଯୋଗ କରିଛନ୍ତି ଅବିଭାବକ । ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ଅବଗତ କରାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅନ୍ୟ ପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର ବିଦ୍ୟାଳୟରେ ଶିକ୍ଷା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବାର ବ୍ୟବସ୍ଥା ରହିଛି । ନବମ ଦଶମ ଶ୍ରେଣୀରେ କେହି ପଢୁନଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
Follow Us