kendrapada Photograph: (kanak news)
କନକ ବ୍ୟୁରୋ : ଲୋକେ ଆଉ ନଦୀରେ ଡଙ୍ଗା ବାହି ଯିବେନି । ସମସ୍ତେ ସୁରକ୍ଷିତ ଭାବେ କଂକ୍ରିଟ୍ ପୋଲରେ ଯାତାୟାତ କରିବେ । ଏହି ଉଦ୍ଦେଶ୍ୟ ରଖି ପ୍ରତି ପଞ୍ଚାୟତରେ ନଦୀ ଉପରେ ତିଆରି ହେଉଛି କଂକ୍ରିଟ୍ ପୋଲ । ହେଲେ ଏବେ ଏହି ପୋଲ ପାଲଟିଛି ଅନେକ ଠକ ଠିକାଦାରଙ୍କ ରୋଜଗାରର ମାଧ୍ୟମ । ପୋଲ କରିବା ନାଁରେ ଲୁଟ୍ କରୁଛନ୍ତି ସରକାରୀ ଅର୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହୋଇଥିବା ପୋଲ ଏହାର ଜ୍ବଳନ୍ତ ଉଦାହରଣ । ପୂର୍ବ ସରକାର ଏହି ନଦୀ ଉପରେ ପୋଲ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମିଶି ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥକୁ ଲୁଟି ନେଉଥିବା ଅଭିଯୋଗ ହୋଇଛି । ଏଠାରେ ଚାଲିଛି ଲୋକଙ୍କ ଜୀବନ ସହ ଖେଳ ।
ଆଳି ବ୍ଲକ ଏକମାଣିଆ ପଞ୍ଚାୟତବାସୀଙ୍କୁ ଚାରିପଟୁ ଘେରି ରହିଥିଲା ବ୍ରାହ୍ମଣୀ ନଦୀ । ଘରୁ ବାହାରିଲେ ଦେଶୀ ଡଙ୍ଗା ହିଁ ଥିଲା ଏମାନଙ୍କର ଏକମାତ୍ର ଭରସା । ଦୀର୍ଘ ବର୍ଷର ଦାବି ଓ ଦୁଇ ଦୁଇଟି ମୂଲ୍ୟବାନ ଜୀବନ ଯିବା ପରେ ସରକାରଙ୍କ ଆଖିରେ ପଡ଼ିଥିଲା ଲୋକଙ୍କ ଦୁର୍ଦ୍ଦଶା । ବ୍ରାହ୍ମଣୀ ନଦୀ ଉପରେ ଆରମ୍ଭ ହେଲା ପୋଲ ନିର୍ମାଣ କାର୍ଯ୍ୟ । ଏଥିପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୦ କୋଟି ଟଙ୍କା ବ୍ୟୟବରାଦ କଲେ । ପୋଲର ପ୍ରାୟ ୮୦ ପ୍ରତିଶତ କାମ ସରିଥିବା ବେଳେ ଅପ୍ରୋଚ ରୋଡ୍ କାମ ଚାଲୁରହିଛି । ପୋଲର ରିଟର୍ଣ୍ଣିଂ ୱାଲ ମାଟି ବାଲି ମିଶାଇ କରାଯାଉଥିବା ବେଳେ ୨୭ରୁ ୩୦ ଫୁଟ୍ ବଦଳରେ ମାତ୍ର ୯ ରୁ ୧୦ ଫୁଟ ୱାଲ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହା ଫଳରେ ପୋଲର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ପଢ଼ନ୍ତୁ--ପୁଣି ଶିକ୍ଷାନୁଷ୍ଠାନରେ ରାଗିଂ: ଡ୍ରଗ୍ସ ନେବାକୁ ମନା କରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼
ସେପଟେ ବିନା କୌଣସି ଡ୍ରଇଂରେ ନିମ୍ନମାନର କାମ ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି । ଯେଉଁ ରଡ୍ରେ ପୋଲ ନିର୍ମାଣ ହେବା କଥା ସେଥିରେ ନକରି ଚାଲୁ କମ୍ପାନିର ଜିନିଷ ବ୍ୟବହାର କରାଯାଉଛି । ଏନେଇ ପ୍ରତିବାଦ କଲେ କମ୍ପାନି ଲୋକେ ଧମକ ଦେବା ସହ ଥାନାରେ ମିଛ ମାମଲା ରୁଜୁ କରୁଥିବା ସାଂଘାତିକ ଅଭିଯୋଗ ଆସିଛି । ଲୋକଙ୍କ ମୌଳିକ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକା ସଂସ୍ଥାର ଏହିଭଳି ମନମାନି ଯୋଗୁଁ ଲୋକେ ହଇରାଣ ହରକତ ହେଉଛନ୍ତି । ଏହିଭଳି ସଂସ୍ଥାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
Follow Us