କନକବ୍ୟୁରୋ : ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା ହୋଇଛି  ।   ଏହା ରୋଗୀଙ୍କୁ ଉଭୟ ଶାରିରୀକ କାର୍ଯ୍ୟକ୍ଷମତା ସହିତ ସୌନ୍ଦର୍ଯ୍ୟଗତ ଆବଶ୍ୟକତାକୁ ପୂରଣ କରିବାରେ ଅଶେଷ ସହାୟକ ହେଉଛି  ।

Advertisment

ଚେହେରାକୁ ବଦଳାଉଛି ସର୍ଜରୀ... ହାତ ଗୋଡ କଟିଯାଇଥିଲେ କେଇ ଘଣ୍ଟା ଭିତରେ ଏହାକୁ ଯୋଡ଼ିଦେବା ହେଉଛି ସମ୍ଭବ । ଏହି ପଦ୍ଧତିରେ ବୟସ୍କ ଦେଖାଯାଉଛନ୍ତି ଯୁବକଙ୍କ ଭଳି । ନିଜ ମନ ପସନ୍ଦରେ ବଦଳାଯାଉଛି ମୁହଁ ଓ ଶରୀରର ଆକାର ଓ ପ୍ରକାର ।  ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍ ସର୍ଜରୀ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଭାରତ ସମେତ ଅନ୍ୟ ଦେଶ ଗୁଡ଼ିକରେ ଉଭୟ ମହିଳା ଓ ପୁରୁଷ ନିଜର ପ୍ଲାଷ୍ଟିକ୍ ସର୍ଜରୀ, ରିକନ୍‌ଷ୍ଟ୍ରକ୍ସନ ସର୍ଜରୀ ଓ କସ୍‌ମେଟିକ ସର୍ଜରୀ କରାଉଛନ୍ତି । ତେବେ ଆଜି ବି ସମାଜରେ ଅନେକ ବର୍ଗ ପ୍ଲାଷ୍ଟିକ୍ ସର୍ଜରୀକୁ ନେଇ ବିଭିନ୍ନ ଦ୍ବନ୍ଦ୍ବରେ ରହିଥାନ୍ତି । ଏହି କାରଣରୁ ଲୋକମାନେ ଶାରୀରିକ ସମସ୍ୟା ଭୋଗୁଥିଲେ ମଧ୍ୟ ସର୍ଜରୀ କରାଇବାକୁ ଭୟ କରିଥାନ୍ତି ।

ଅଧିକ ପଢନ୍ତୁ ... ବୟସ ଲୁଚାଇବା ପାଇଁ ଅସ୍ତ୍ରୋପଚାର : ରୂପ ବଦଳାଉଛି କସ୍ମେଟିକ୍ ସର୍ଜରି

ବିଶେଷଜ୍ଞଙ୍କ ମତରେ ପ୍ଲାଷ୍ଟିକ ସର୍ଜରୀ ଆଜିର ଯୁଗରେ ଏକ ବରଦାନ ସ୍ବରୂପ ।  ସର୍ଜନ ମାନେ ବିରଳରୁ ବିରଳ ସର୍ଜରୀକୁ ସଫଳତାର ସହ ସମ୍ପାଦନ କରି ଆଶାହୀନ ଲୋକଙ୍କ ଜୀବନ ଜୀଇଁବାର ନୂଆ ଆଶା ଦେଖାଇବା ସହ ସେମାନଙ୍କ ଆତ୍ମବିଶ୍ବାସକୁ ସୁଦୃଢ଼ କରାଉଛନ୍ତି।  ଏସିଡ ପିଡୀତ କୁହନ୍ତୁ କିମ୍ବା ପୋଡା, ଜଳାରେ ନଷ୍ଟ ହୋଇଯାଇଥିବା ଚର୍ମକୁ ଠିକ କରିବାରେ ପ୍ଲାଷ୍ଟିକ ସର୍ଜରୀର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଦୁର୍ଘଟଣାରେ ସୃଷ୍ଟି ହେଉଥିବା କ୍ଷତ ଚିହ୍ନକୁ ବି ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଠିକ କରାଯାଇ ପାରୁଛି । ଅଧିକ ସୁନ୍ଦର ଦେଖିଯିବା ପାଇଁ ଯୁବପୀଢି ପ୍ଲାଷ୍ଟିକ ସର୍ଜରୀକୁ ଆପଣାଉଛନ୍ତି । ଦୁର୍ଘଟଣାରେ କଟିଯାଇଥିବା ହାତ, ଆଙ୍ଗୁଠି ଇତ୍ୟାଦିକୁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ସହଜରେ ଯୋଡା ଯାଇପାରୁଛି I

ଏହା ସହିତ ଗ୍ରହଣ ଖଣ୍ଡିଆ, ବଙ୍କା ଥିବା ନାକ ଇତ୍ୟାଦିକୁ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ ସାହାଯ୍ୟରେ ଠିକ କରାଯାଇପାରୁଛି । ଯାହାଦ୍ୱାରା ଜୀବନକୁ ସହଜରେ ଜୀଇଁପାରୁଛନ୍ତି ପୀଡ଼ିତ ।  ଅନେକ ଅଭିନେତା, ଅଭିନେତ୍ରୀ ମାନେ ମଧ୍ୟ ନିଜ ଚେହେରାକୁ ଆକର୍ଷଣୀୟ କରିବାକୁ ନିଜ ଚେହେରାରେ ପରିବର୍ତନ କରୁଛନ୍ତି ।  ପ୍ଲାଷ୍ଟିକ ସର୍ଜରୀର ଏତେ ମାତ୍ରାରେ ଆବଶ୍ୟକତା ଥିଲେ ମଧ୍ୟ ସାଧାରଣ ଲୋକ ଆଜି ବି ଏହାକୁ ସୌନ୍ଦର୍ଯ୍ୟକରଣ ସର୍ଜରୀ ଭାବରେ ଜାଣୁଛନ୍ତି I ଜରୁରୀକାଳୀନ ସ୍ଥିତିରେ ସଠିକ ଆବଶ୍ୟକତାକୁ ବୁଝି ସର୍ଜରୀ ଭଳି ଅତ୍ୟାଧୁନିକ ଚିକିତ୍ସାପଦ୍ଧତି ଆପଣାଇବା ଉଚିତ୍ ।