TeaM India Photograph: (Kanak news)
କନକ ବ୍ୟୁରୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ଭାରତ ଏବେ ଅପ୍ରତ୍ୟାଶିତ ସଙ୍କଟରେ ପଡ଼ିଛି । ସୁପର୍-୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ହାରିଯିବା ପରେ ଭାରତ ‘କର ବା ମର’ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗୁରୁବାର ଭାରତ ନିଜ ଦ୍ବିତୀୟ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଖେଳିବ । ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିବା ଭାରତ ପାଇଁ କିନ୍ତୁ ଚେପକ୍ର ନୂଆ ପିଚ୍ ଆଶ୍ବସ୍ତି ଆଣିଛି । ଚେନ୍ନାଇର ପିଚ୍ ସାଧାରଣତଃ ମନ୍ଥର ରହୁଥିବାରୁ ଏହା ଜିମ୍ବାୱେର ସିକନ୍ଦର ରାଜା ଓ ବ୍ଲେସିଙ୍ଗ୍ ମୁଜାରବାନୀଙ୍କୁ ସୁହାଇଥାନ୍ତା । କିନ୍ତୁ ନୂଆ ପିିଚ୍ ବ୍ୟାଟିଂ ଅନୁକୂଳ ହେବ ବୋଲି ବିଶ୍ବାସ ହେଉଛି। ଫଳରେ ପେସ୍ ବୋଲିଂ ଉପରେ ନିର୍ଭର କରୁଥିବା ଜିମ୍ବାୱେ ବିପକ୍ଷରେ ଏହା ରହିବ।
ତଥାପି ଭାରତୀୟ ବ୍ୟାଟର୍ଙ୍କୁ ଏହାର ଫାଇଦା ଉଠାଇ ବଡ଼ ସ୍କୋର୍ କରିବାର ଆବଶ୍ୟକତା ରହିବ। ବିଶ୍ବକପ୍ ପୂର୍ବରୁ ଚେପକ୍ ପିଚ୍ ପୁନଃସ୍ଥାପିତ ହୋଇଥିବାରୁ ଘରୋଇ ଦଳ ସପକ୍ଷରେ ଯିବ ବୋଲି କୁହାଯାଉଛି। ମାତ୍ର ୫ ମାସ ତଳେ ଏମ୍ଏ ଚିଦାମ୍ବରମ୍ ପିଚ୍ ଅବସ୍ଥାପିତ ହେବା ପରଠାରୁ ଏଠାରେ ରନ୍ ବର୍ଷା ବି ଦେଖିବାକୁ ମିଳିଛି। ଚଳିତ ବିଶ୍ବକପ୍ରେ ଆଫଗାନିସ୍ତାନର ୧୮୨ ରନ୍କୁ ନ୍ୟୁଜିଲାଣ୍ଡ୍ ୧୭.୫ ଓଭରରେ ପିଛା କରି ଦେଇଥିଲା।
ଆହୁରି ପଢ଼ନ୍ତୁ... କେରଳ ହେବ କେରଳମ୍: କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ
ସେହିଭଳି ୟୁଏଇ ବିପକ୍ଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ୧୫.୧ ଓଭରରେ ୧୭୬ ରନ୍ କରି ବିଜୟୀ ହୋଇଥିଲା। ୟୁଏଇର ଯୁଦ୍ଧବୀର ସାମରା ୬୫ ବଲ୍ରୁ ୧୧୦ ରନ୍ କରିଥିଲେ।। ଉଭୟ ମ୍ୟାଚ୍ ଦିନବେଳା ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ରାତି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୯୬ ଓ ୨୦୦ ରନ୍କୁ ଡିଫେଣ୍ଡ୍ କରି ଜିତିଛି।ଭାରତ ପାଇଁ କିନ୍ତୁ ଶୀର୍ଷକ୍ରମ ବ୍ୟାଟିଂ ବିଫଳତା ବଡ଼ ଚିନ୍ତାର କାରଣ ହୋଇଛି। ପ୍ରାରମ୍ଭିକ ଯୋଡ଼ିଙ୍କ ହାରାହାରି ଚଳିତ ବର୍ଷରେ ସବୁ ଦଳ ମଧ୍ୟରେ ଖରାପ। ପ୍ରତିଦ୍ବନ୍ଦ୍ବୀ ଦଳ ଅଭିଷେକ ଶର୍ମା, ଈଶାନ କିଶନ, ତିଳକ ବର୍ମାଙ୍କ ଦୁର୍ବଳତାକୁ ଧରିନେଲେଣି। ଭାରତ ପାଇଁ ଏକ ଅନାଲୋଚିତ ସମସ୍ୟା ବି ଉଭା ହୋଇଛି।
ଏହା ହେଉଛି ଏକାଧିକ ବାମହାତୀ ଖେଳାଳି ଦଳ ପାଇଁ ଏବେ ବୋଝ ଭଳି ହୋଇଗଲେଣି। ‘ଆମେ ଏବେ ଏଭଳି ଏକ ପଏଣ୍ଟ୍ରେ ପହଞ୍ଚିଯାଇଛୁ ଯେ କିଛି ଭିନ୍ନ ସମନ୍ବୟ ବିଷୟରେ ଚିନ୍ତା କରିବାକୁ ପଡ଼ିବ, ନହେଲେ ସମାନ ସମନ୍ବୟ ସହ ଯିବାକୁ ହେବ।’ ଏଭଳି କହିଛନ୍ତି ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ। ଶୀର୍ଷକ୍ରମରେ ବାମ-ଡ଼ାହାଣ ସମନ୍ବୟ ଏକ କୌଶଳ, ପରବର୍ତ୍ତୀ ୨ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ’ ବୋଲି କହିଛନ୍ତି ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ରୢାନ୍ ଟେନ୍ ଡଶ୍ଚେଟ୍। ତେବେ ବାମ-ଡ଼ାହାଣ ସମନ୍ବୟ ପାଇଁ ସଞ୍ଜୁ ସାମସନଙ୍କୁ ଡାକିବା ନିଶ୍ଚିତ ସାହସିକ ନିଷ୍ପତ୍ତି ହେବ। ସୂଚନାଯୋଗ୍ୟ, ଅକ୍ଷର ପଟେଲ୍ଙ୍କୁ ମିଶାଇଲେ ୭ ଜଣ ବ୍ୟାଟର୍ ବାମହାତୀ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଷର ପଟେଲ୍ ଖେଳିନଥିଲେ।
Follow Us