କନକ ବ୍ୟୁରୋ : ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପହଁଞ୍ଚିବ ପାଇପ୍‌ ଜଳ । କୌଣସି ବି ରାଜସ୍ୱ ଗ୍ରାମ ଯେପରି ପାନୀୟ ଜଳ ଯୋଗାଣରୁ ବାଦ୍‌ ନ ପଡ଼େ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଲୋକସେବା ଭ‍ବନଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଏହାକୁ ମିଶନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ପରାମର୍ଶ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି । ବର୍ତ୍ତମାନ ରାଜ୍ୟର ୪୬ହଜାର ୫୩୧ ଟି ଗ୍ରାମ ମଧ୍ୟରୁ ୨୧, ୭୨୧ ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ  ଅଛି । 

ଅଧିକ ପଢନ୍ତୁ : ସମ୍ବଲପୁରବାସୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ, ପାଇପ୍‌ ଫାଟି ମିଶୁଛି ଡ୍ରେନ୍‌ ପାଣି

ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନିର୍ମାଣାଧୀନ ଅଛି । ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ପାଇପ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ୫୪ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ତନ୍ମଧ୍ୟରୁ ଜଳ ଜୀବନ ମିଶନ୍‌ ଯୋଜନାରେ ୩୨ହଜାର ୧୨୮ କୋଟି ଟଙ୍କାର ପ୍ରାବଧାନ ରହିଥିବା ବେଳେ ଅବଶିଷ୍ଟ ୨୧ହଜାର ୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି ।