Pilot Photograph: (kanak news)
କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସର ପୂର୍ବ ସନ୍ଧ୍ୟାରେ, ଫରିଦାବାଦର ଜଣେ ଝିଅ ସାହସର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଫରିଦାବାଦର ଟିଗାଓଁର ୨୪ ବର୍ଷୀୟା ପାଇଲଟ୍ ଦୀପିକା ଆଧାନା, ୟୁଏଇର ରାସ ଅଲ ଖାଇମାହ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୬୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଭାରତ ଆଣିଥିଲେ। ଦୀପିକା ତାଙ୍କ ଦଳ ସହିତ ଏକ ଉଦ୍ଧାର ବିମାନ ମାଧ୍ୟମରେ ଯାତ୍ରୀମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଇଥିଲେ ।
ଦୀପିକା କହିଛନ୍ତି, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦:୧୫ ସମୟରେ ତାଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ୟୁଏଇର ରାସ ଅଲ ଖୈମା ବିମାନବନ୍ଦରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେ କ୍ୟାପ୍ଟେନ ଜସବିନ୍ଦର କୌରଙ୍କ ସହିତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ବାହାରିଥିଲେ। ଦଳ ଅପରାହ୍ନ ପ୍ରାୟ ୨ଟାରେ ରାସ ଅଲ ଖୈମା ବିମାନବନ୍ଦରରେ ଅବତରଣ କରିଥିଲେ। ପ୍ରାୟ ଏକ ଘଣ୍ଟା ବିଶ୍ରାମ ନେବା ପରେ, ୧୬୯ ଜଣ ଯାତ୍ରୀଙ୍କୁ ବିମାନରେ ଚଢ଼ାଯାଇଥିଲା ଏବଂ ଅପରାହ୍ନ ୩:୩୦ ରେ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ।
ଅଧିକ ପଢ଼ନ୍ତୁ---ଇରାନର ତୈଳ ପ୍ରତିଷ୍ଠାନ ଉପରେ ବଡ଼ ଆକ୍ରମଣ; ଇରାନକୁ 'ନର୍କ'ରେ ପରିଣତ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
ଏହି ବିମାନର ବିଶେଷ କଥା ଥିଲା ଯେ, କ୍ୟାପ୍ଟେନଙ୍କଠାରୁ ଆରମ୍ଭ କରି କ୍ରୁ ସଦସ୍ୟ ପର୍ଯ୍ୟନ୍ତ ସମସ୍ତେ ଥିଲେ ମହିଳା। ଏହି ସମ୍ପୂର୍ଣ୍ଣ ମହିଳା ବିମାନରେ ଛଅ ଜଣ ମହିଳା ଥିଲେ। କ୍ୟାପ୍ଟେନ ଜସବିନ୍ଦର କୌର, ପାଇଲଟ୍ ଦୀପିକା ଆଧାନ ଏବଂ ଚାରି ଜଣ ମହିଳା କ୍ରୁ ସଦସ୍ୟ । ଦିଲ୍ଲୀରେ ପହଞ୍ଚିବା ପରେ, ଯାତ୍ରୀମାନେ ସମଗ୍ର ଊଦ୍ଧାର ଦଳ ପ୍ରତି ସେମାନଙ୍କର ହୃଦୟର କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ, ମହିଳା ଦିବସ ଅବସରରେ ଏହି ସଫଳତା ମହିଳାମାନଙ୍କର ସାହସର ଏକ ଉଜ୍ଜ୍ୱଳ ଉଦାହରଣ।ସୂଚନାଯୋଗ୍ୟ,ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପସାଗରୀୟ ଦେଶଗୁଡିକରୁ ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଦୁଇ ଦିନ ଧରି ଉଦ୍ଧାର କାର୍ଯ୍ୟ ଚଳାଇ ଆସୁଛି ।
Follow Us