କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଉଭୟ ପକ୍ଷ ପରସ୍ପରର ଅର୍ଥନୀତିର ମେରୁଦଣ୍ଡ ବୋଲି ବିବେଚିତ ତୈଳ ଘାଟିଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ଶନିବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏହି ପ୍ରବଳ ବୋମା ମାଡ଼ ମଧ୍ୟପ୍ରାଚ୍ୟରେ ବଡ଼ ଧ୍ୱଂସ ଘଟାଇବା ସହିତ ସମଗ୍ର ବିଶ୍ୱର ଚିନ୍ତାକୁ ବୃଦ୍ଧି କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଆମେ ପରିସ୍ଥିତିକୁ ନର୍କଠାରୁ ମଧ୍ୟ ଖରାପ କରିଦେବୁ । ଏହି ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଇସ୍ରାଏଲ ଦାବି କରିଛି, ଆମେ ଇରାନରେ ଏକ ବଡ଼ ବିଜୟର ନିକଟତର ହୋଇଛୁ ।
ଶନିବାର ବିଳମ୍ବିତ ରାତିରୁ, ଇରାନ ଓ ଇସ୍ରାଏଲ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ତୈଳ ପ୍ରତିଷ୍ଠାନ ଏବଂ ସାମରିକ ଘାଟି ଉପରେ ଏକାଧିକ ଭୟଙ୍କର ଆକ୍ରମଣ ଆରମ୍ଭ କରିଛନ୍ତି । ଇସ୍ରାଏଲ ତେହେରାନ ସମେତ ଅନେକ ଇରାନ ସହରରେ ଅବସ୍ଥିତ ବଡ଼ ବଡ଼ ତେଲ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରିଛି । ଫଳରେ ସବୁଠି ନିଆଁ ଦେଖାଯାଉଛି । ଜବାବରେ, ଇରାନ ଇସ୍ରାଏଲର ହାଇଫା ରିଫାଇନାରୀ ଉପରେ ମଧ୍ୟ ବହୁ ସଂଖ୍ୟକ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ଫଳରେ ଏହା ଯୋଗୁ ଇସ୍ରାଏଲୀ ଅର୍ଥନୀତିକୁ ବଡ଼ ଆଘାତ ଲାଗିବାର ଆଶଙ୍କା ରହିଛି ।
ଅଧିକ ପଢ଼ନ୍ତୁ---ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ରାତିରେ ଇରାନର ତେଲ ଭଣ୍ତାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ଉପରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ଘୋଷଣା କରିଛନ୍ତି, ଇରାନ ଉପରେ ଏକ ବଡ଼ ଆକ୍ରମଣ ଆସନ୍ନ ଏବଂ ସେ ଇରାନର ପରିସ୍ଥିତିକୁ ନର୍କଠାରୁ ମଧ୍ୟ ଖରାପ କରିଦେବେ ବୋଲି ଧମକ ଦେଇଛନ୍ତି। ଏହି ଧମକର ଜବାବରେ, ଇରାନର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି, ଯଦି ତେହରାନ୍ ଉପରେ ଆକ୍ରମଣ ହୁଏ, ତେବେ ତେହରାନ ତାହାର ପାଲଟା ଜବାବ କଡଠାର ଭାବେ ଦେବ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବିବୃତି ଜାରି କରି ଦାବି କରିଛନ୍ତି, ସଦ୍ୟତମ ଆକ୍ରମଣରେ ଇରାନକୁ ଅପୂରଣୀୟ କ୍ଷତି ହୋଇଛି ଏବଂ ସେମାନେ ବିଜୟର ନିକଟତର ହୋଇଛନ୍ତି । ନେତାନ୍ୟାହୁଙ୍କ ଅନୁଯାୟୀ, ଇସ୍ରାଏଲୀ ସେନା ଇରାନର ପରମାଣୁ ଭିତ୍ତିଭୂମି, କମାଣ୍ଡ ସେଣ୍ଟର, ଅସ୍ତ୍ରଶସ୍ତ୍ର କାରଖାନା ଏବଂ ଶହ ଶହ ବାଲିଷ୍ଟିକ୍ ମିସାଇଲ୍ ଲଞ୍ଚର୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ଅନ୍ୟପକ୍ଷରେ, ଇରାନ ମଧ୍ୟ ଏକ ଡ୍ରୋନ୍ ସାହାଯ୍ୟରେ ଦୁବାଇ ମାରିନାର ଏକ ଟାୱାର ଉପରେ ଆକ୍ରମଣ କରିଛି, ଯେଉଁଠାରେ ଏକ ଉଚ୍ଚ କୋଠାରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା ।
ଉଭୟ ଦେଶ ଦ୍ୱାରା ତୈଳ ବିଶୋଧନାଗାରକୁ ଟାର୍ଗେଟ କରିବା ଦ୍ୱାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ହେବାର ସମ୍ଭାବନା ବୃଦ୍ଧି ପାଇଛି। ଏହି ବିବାଦ ଆଉ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆମେରିକା ଏବଂ ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକର ସମ୍ପୃକ୍ତି ମଧ୍ୟ କ୍ରମଶଃ ସ୍ପଷ୍ଟ ହେଉଛି । ଯଦି ଏହି ବିବାଦର ଶୀଘ୍ର ସମାଧାନ ନହୁଏ, ତେବେ ଏହା ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଏକ ବଡ଼ ମାନବିକ ଏବଂ ଆର୍ଥିକ ବିପର୍ଯ୍ୟୟ ଆଣିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/iran-2026-03-08-09-25-05.jpg)