jagatsinghpur Photograph: (kanak news)
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ଯୋଗୁଁ ଚାଷୀ ଅଭାବୀ ବିକ୍ରି ସହ ସମସ୍ୟାର ସମ୍ମୁଖୀନ ହେଉଛି । କେଉଁଠି ମଣ୍ଡି ଅଛି ମିଲର ନାହାନ୍ତି ତ ଆଉ କେଉଁଠି ମଣ୍ଡିରେ ଦୀର୍ଘ ଦିନ ଧରି ତାଲା ପଡିଛି । ଆଉ ଯେଉଁଠି ମଣ୍ଡି ଖୋଲା ଏବଂ ମିଲର ଆସୁଛନ୍ତି ସେଠି କଟନୀ ଛଟନୀ ସହ ଲୋଡିଂ ଅନଲୋଡିଂ ଚାପରେ ଚାଷୀ ପେଷି ହୋଇ ଯାଉଛି । ଏ ସବୁ ଦେଖି ନିଦାବିଷ୍ଣୁ ପାଲଟିଛି ଯୋଗାଣ ବିଭାଗ । ଏଠାରେ ମୋଟ ୧୧୩ଟି ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡି ମାଧ୍ୟମରେ ୧୦ ଲକ୍ଷ ୮ ହଜାର କ୍ୱିଣ୍ଟାଲ ଧାନ କ୍ରୟ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାହାକୁ କିଣିବାକୁ ସରକାର ବାହାର ଜିଲ୍ଲାରୁ ୩୦ଟି ମିଲର ମାଗିଥିବା ବେଳେ ଆସିଛନ୍ତି ମାତ୍ର ୫ ଜଣ। ଆଉ ଜିଲ୍ଲାର ୫ ମିଲରଙ୍କୁ ମିଶାଇ ମୋଟ ୧୦ ଜଣ ମିଲର ଧାନ ନେବାକୁ ନିଯୁକ୍ତ ହୋଇଛନ୍ତି। ମାତ୍ର ଅଳ୍ପ କିଛି ଧାନ ନେବାପରେ ମିଲରମାନେ ସଠିକ୍ ଭାବେ ମଣ୍ଡିରୁ ଧାନ ଉଠାଉନଥିବା ଅଭିଯୋଗ ହୋଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।
ଜଗତସିଂହପୁରରେ ଜାନୁଆରୀ ୨୬ରୁ ମଣ୍ଡି ଖୋଲିଥିଲେ ସୁଧା ମିଲରଙ୍କ ଅନିୟମିତତା ପାଇଁ ହଜାର ହଜାର ଚାଷୀ ଏଯାବତ ଧାନ ବିକ୍ରି କରିପାରିନାହାନ୍ତି। ଧାନ ବିକିବାର ଅବଧି ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଥିବାରୁ ଆଶା ଆଶଙ୍କାରେ ଦିନ କାଟୁଛି ଚାଷୀ। ଅନେକ ଚାଷୀ ଋଣ ଭାରଗ୍ରସ୍ତ ହୋଇ ଅସାଧୁ ବ୍ୟବସାୟୀଙ୍କୁ ଅଧାମୂଲ୍ୟରେ ଧାନ ବିକି କ୍ଷତି ସହୁଛନ୍ତି। ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି, ସମସ୍ତ ଧାନ ନିର୍ଦ୍ଧାରିତ ସମୟ ମଧ୍ୟରେ କିଣାଯିବ । ଚଳିତ ବର୍ଷ ଜଗତସିଂହପୁରରେ ଭଲ ଧାନ ଫସଲ ହୋଇଥିଲା। କିନ୍ତୁ ଚାଷୀଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପ୍ରଦାନରେ ଅବହେଳା ଯୋଗୁଁ ଚାଷୀ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି ।
ଅଧିକ ପଢ଼ନ୍ତୁ---ବନ ବିଭାଗର ଅବହେଳା: ଗହୀରମଥାରେ ପଡ଼ିଛି ଶହ ଶହ କଇଁଛଙ୍କ ମୃତଦେହ
Follow Us