କନକ ବ୍ୟୁରୋ : ରାଜ୍ୟରେ କ୍ରୀଡ଼ା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବ୍ଳକସ୍ତରିୟ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ମିନି ଷ୍ଟାଡିୟମ ଖେଳାଳିଙ୍କ କାମରେ ଲାଗିବା ତ ଦୂରର କଥା ନିଜେ ଭୂଇଁରୁ ଉଠିପାରୁନି । ପାଚେରୀରେ ସୀମିତ ଖେଳ ପଡ଼ିଆ। ସରକାରଙ୍କ ପକ୍ଷରୁ କରାଯାଇଥିବା ମିନି ଷ୍ଟାଡିୟମ। ରାୟଗଡ଼ା ସଦର ବ୍ଳକ ପିତାମହଲ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମ ନଗର ଠାରେ ନିର୍ମାଣ ହୋଇଥିବା ଏଇ ଷ୍ଟାଡିୟମରେ ଅଭ୍ୟାସ କରି କୁଆଡ଼େ ଖେଳାଳି ତିଆରି ହେବେ। ସେଥିପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା ।
ଅଧିକ ପଢ଼ନ୍ତୁ : ଫୁଲଚାଷ କରି ମାଲାମାଲ, ବି.କମ୍ ପାସ୍ ପରେ ଗେଣ୍ଡୁଫୁଲ ଚାଷ କରୁଛନ୍ତି ରାୟଗଡ଼ାର ଚନ୍ଦ୍ରା ରମେଶ
ପଞ୍ଚାୟତ ସମିତି ରାୟଗଡ଼ାର ପଞ୍ଚାୟତିରାଜ ଓ ପାନିୟଜଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୩୦ ଲକ୍ଷ । ଏତେ ଟଙ୍କାରେ କେବଳ ଅଧା ପାଚେରୀ ଆଉ ଗେଟ୍ ଲାଗି ପାରିଛି । କେବଳ ସେତିକି ନୁହେଁ ପଡ଼ିଆ ସମ୍ପୂର୍ଣ୍ଣ ଖାଲଢ଼ିପ, ବଡ଼ ବଡ଼ ଗାତ ସହ ଅନାବନା ଗଛରେ ପରିପୂର୍ଣ୍ଣ । ଏପଟେ ଅଟକଳ ମୂଲ୍ୟ ଖର୍ଚ୍ଚ ହୋଇସାରିଛି, ନିର୍ମାଣ ଅବଧି ମଧ୍ୟ ସରିଛି । ହେଲେ ଜିଲ୍ଲା କ୍ରୀଡ଼ା ବିଭାଗକୁ ପିତାମହଲ ମିନି ଷ୍ଟାଡିୟମ ହସ୍ତାନ୍ତର କରାଯାଇନାହିଁ । ଆଉ ସଂପୂର୍ଣ୍ଣ ଚିତ୍ରକୁ ଦେଖିଲେ, ଖେଳ ପଡ଼ିଆରୁ ଦୁର୍ନୀତିର ଗନ୍ଧ ଭଣଭଣ ହୋଇ ବାସୁଛି ।
ଅଧିକ ପଢ଼ନ୍ତୁ : ପଶ୍ଚିମରୁ ଦକ୍ଷିଣ ସବୁଠି ମଣ୍ଡି ତାତି;ରାୟଗଡ଼ାରେ ମଣ୍ଡି ଉଦଘାଟନକୁ ବିରୋଧ
କ୍ରୀଡାବିତଙ୍କ ପ୍ରଶିକ୍ଷଣ ଓ ଜିଲ୍ଲା ସ୍ତରରେ କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ରାୟଗଡ଼ା ଜିଲ୍ଲାର ୧୦ଟି ବ୍ଲକରେ ମିନି ଷ୍ଟାଡିୟମ୍ ନିର୍ମାଣ ଲାଗି ଅନୁଦାନ ଆସିଥିଲା। କଲ୍ୟାଣସିଂହପୁର ବ୍ଳକରେ ଜମି ନମିଳିବାରୁ ମିନି ଷ୍ଟାଡିୟମ ନିର୍ମାଣ ହୋଇପାରିନି । ୫ ଏକର ଜମିରେ ଷ୍ଟାଡିୟମ୍ ହେବ । ପଡ଼ିଆର ଚାରିପଟେ ୩ ଫୁଟ୍ ଉଚ୍ଚର କାନ୍ଥ ଉଠିବ, ପଡ଼ିଆ ସମତୁଲ କରାଯିବ । ସେଥିପାଇଁ କ୍ରୀଡ଼ା ବିଭାଗ ପାଣ୍ଠିରୁ ୨୦ ଲକ୍ଷ ଓ ମନରେଗାରେ ୧୦ ଲକ୍ଷ ଟଙ୍କା କରି ମୋଟ୍ ୩୦ ଲକ୍ଷ ଟଙ୍କା ସଂପୃକ୍ତ ବ୍ଲକର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ପାଇଁ ମୋଟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଷ୍ଟାଡିୟମରେ ସବୁ ପ୍ରକାର ବ୍ୟବସ୍ଥା ରହିବ। ଫୁଟବଲ, ଭଲିବଲ, କବାଡ଼ି ଓ ଖୋଖୋ ଭଳି ଖେଳାଯିବ ବୋଲି କୁହାଯାଇଥିଲା। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି, ଷ୍ଟାଡିୟମ ଖେଳାଳିଙ୍କ କାମରେ ଲାଗିବା ତ ଦୂରର କଥା ନିଜେ ଭୁଇଁରୁ ଉଠିପାରୁନି।
Follow Us