କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ୱକପର ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କାର ଷ୍ଟାଇଲିସ୍ ଓପନର୍ ପଥୁମ୍ ନିଶଙ୍କ ପ୍ରମାଣ କରିଦେଲେ ଯେ ସେ କେବଳ ପ୍ରତିଭାଶାଳୀ ନୁହନ୍ତି, ବରଂ ଦଳର ଭରସାଯୋଗ୍ୟ ମ୍ୟାଚ୍-ଉଇନର୍ । ବଡ଼ ଲକ୍ଷ୍ୟ ପାଶ୍ଚାତ୍ଧାବନ ସମୟରେ ତାଙ୍କ ବ୍ୟାଟ୍ରୁ ଝରିଥିବା ରନ୍ର ବନ୍ୟା ଆଜି ଶ୍ରୀଲଙ୍କାର ବିଜୟକୁ ଅତି ସହଜସାଧ୍ୟ କରିଦେଇଥିଲା । ୧୮୧ ରନ୍ ଭଳି ବିଶାଳ ଲକ୍ଷ୍ୟକୁ ପାଶ୍ଚାତ୍ଧାବନ କରିବା ସମୟରେ ନିଶଙ୍କ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ଆକ୍ରମଣକୁ ଅତି ସୁନ୍ଦର ଭାବେ ସମନ୍ୱୟ କରିଥିଲେ । ଆରମ୍ଭରୁ ଏହି ଯୁବ ଓପନର୍ଙ୍କ ଆଭିମୁଖ୍ୟ ଥିଲା ସ୍ପଷ୍ଟ । ଯେମିତି ହେଲେ କ୍ରିଜ୍ରେ ରହି ବଲ୍କୁ ପ୍ରହାର କରିବା । ପାୱାର୍ପ୍ଲେରେ ସେ ଖାଲି ସ୍ଥାନ ଚିହ୍ନଟ କରି କଭର ଡ୍ରାଇଭ୍, ରିଭର୍ସ ସୁଇପ୍ ଓ ପୁଲ୍ ସଟ୍ ଖେଳି ରନ୍କୁ ଶେଷ ପର୍ଯ୍ୟନ୍ତ ଗତିଶୀଳ ରଖିଥିଲେ । ମଧ୍ୟଭାଗରେ ସ୍ପିନର୍ମାନଙ୍କ ବିରୋଧରେ ତାଙ୍କର ପାଦଚାଳନା ଓ ଟାଇମିଂ ଦେଖିବାଯୋଗ୍ୟ ଥିଲା ।
ଏହା ବି ପଢ଼ନ୍ତୁ: T 20 World Cup 2026 : ବିଶ୍ୱକପ୍ରୁ ଅଷ୍ଟ୍ରେଲିଆର ଅଭିଯାନ ଶେଷ
ଲଙ୍ଗ ଅନ୍ ଓ ଲଙ୍ଗ-ଅଫ୍ ଉପରେ ବିଶାଳ ଛକା ସାଙ୍ଗକୁ ଗ୍ୟାପ୍ରେ ଗ୍ରାଉଣ୍ଡ ସଟ୍ ପଥୁମ୍ ନିଶଙ୍କ ଇନିଂସକୁ ପରିପୂର୍ଣ୍ଣ କରିଥିଲା । ପ୍ରବଳ ଚାପ ସମୟରେ ବି ସେ ଧିର, ଅବିଚଳିତ ରହି ଶ୍ରୀଲଙ୍କାର ବିଜୟ ପଥ ପରିଷ୍କାର କରିଥିଲେ । ବଲ୍ର ଲେନ୍ଥ ଓ ଲାଇନ୍କୁ ଭଲ ଭାବେ ଅନୁଶୀଳନ କରି ତାହାକୁ ସଟ୍ରେ ପରିଣତ କରିବାର କ୍ଷମତା ତାଙ୍କୁ ଅଲଗା ପରିଚୟ ଦେଇଛି । ଉଭୟ ପେସ୍ ଓ ସ୍ପିନ୍ ବିପକ୍ଷରେ ତାଙ୍କର ଫୁଟ୍ୱର୍କ, ଟେକ୍ନିକ୍ ଓ ଆକ୍ରମଣଶୀଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟରଗଣ । ୧୮୧ ରନ୍ର ପାଶ୍ଚାତ୍ଧାବନ ସହଜ କାମ ନୁହେଁ । କିନ୍ତୁ ନିଶଙ୍କଙ୍କ ଶତକୀୟ ପାଳି ଶ୍ରୀଲଙ୍କାକୁ ଲକ୍ଷ୍ୟ ଦିଗରେ ଆଗକୁ ନେଇଯିବା ସହ ଦଳକୁ ଏକ ସ୍ମରଣୀୟ, ଆତ୍ମବିଶ୍ୱାସଭରା ବିଜୟ ଦେଇଛି । ଶତକୀୟ ପାଳି ଦ୍ୱାରା ସେ ଦଳକୁ ଖାଲି ବିଜୟ ଦେଇନାହାନ୍ତି, ବରଂ ଟ୍ବେଣ୍ଟି-୨୦ ମଞ୍ଚରେ ଜଣେ ଭରସାଯୋଗ୍ୟ ଓପନର୍ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ପ୍ରକୃତରେ ନିଶଙ୍କଙ୍କ ଏହି ଇନିଂସ ଥିଲା ଆତ୍ମବିଶ୍ୱାସ, ଟେକନିକ୍ ଓ ଟେମ୍ପରାମେଣ୍ଟର ଏକ ସୁନ୍ଦର ମିଶ୍ରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/pathum-nissank-2026-02-17-22-51-51.jpg)