କନକ ବ୍ୟୁରୋ : ପାରାଦୀପ ବନ୍ଦରନଗରୀ ଭାବେ ପରିଚିତ । ଏଠିକାରେ ପର୍ଯ୍ୟଟନ ଶିଳ୍ପର ବି ଚାହିଦା ରହିଛି । ଶୀତ ଯେତେ ବଢ଼େ ପାରାଦୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ସେତେ ବଢ଼େ । ମହାନଦୀ ଓ ସମୁଦ୍ର ମିଳନସ୍ଥଳୀ ପାରାଦୀପ ନେହେରୁ ବଙ୍ଗଳାରେ ବିଭୋର ହୁଅନ୍ତି ସମସ୍ତେ । ପ୍ରାକୃତିକ ପରିବେଶରେ ବଣଭୋଜିର ଆସର ଜମେ । ସମୁଦ୍ର ଓ ମହାନଦୀରେ ଜାହାଜ, ଟ୍ରଲର ସହ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ।

Advertisment

ବନ୍ଦର ନଗରୀ ପାରାଦୀପ । ପାରାଦୀପ କଥା ଆସିବା କ୍ଷଣି ସମସ୍ତଙ୍କ ମନକୁ ଆସେ କଳକାରଖାନାର ଧୂଳିଧୂଆଁ ଆଉ ମାଛ ବ୍ୟବସାୟ କଥା । କିନ୍ତୁ ଏହି ପ୍ରତିକୂଳ ପରିବେଶ ଭିତରେ ରହିଛି ଅନେକ ମନମୁଗ୍ଧକର ପରିବେଶ । ବିସ୍ତିର୍ଣ୍ଣ ବେଳାଭୂମି ସାଙ୍ଗକୁ ବତୀଘର ଓ ବିଜୁ ମିନାର ବେଶ ଆକର୍ଷଣୀୟ । ଅଠରବାଙ୍କିରୁ ନେହେରୁବଙ୍ଗଳା ରାସ୍ତାରେ ଯିଏ ଥରେ ଯାଇଛି, ବାସ୍ତବତାକୁ ସିଏ ଅନୁଭବ କରିଛି । ମହାନଦୀ ଆଉ ସମୁଦ୍ରର ଅପୂର୍ବ ମିଳନ ସାଙ୍ଗକୁ ପଥର ବନ୍ଧରେ ଜୁଆରିଆ ଢେଉ ମାଡ଼ର ପାଣି ଛିଟା ଆନମନା କରୁଛି ।

ଅଧିକ ପଢ଼ନ୍ତୁ : ଯେବେ ଶୀତକୁ ଶୃଙ୍ଗାର କରେ ସହର ; ଲଗାଏ କୁହୁଡ଼ିର ଧଳା କଜଳ ଧାର

ଶୀତ ଆସିଲେ ଚାରିଆଡ଼େ ଭିଡ଼ ଜମେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ଧାଇଁ ଆସନ୍ତି । ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରୁଛି ସମୁଦ୍ରକୂଳର ମନ୍ମଥ ଉଦ୍ୟାନ । ଘଞ୍ଚ ଜଙ୍ଗଲରେ ପ୍ରଶାସନ ଦ୍ୱାରା ନିର୍ମିତ ପିଣ୍ଡି ଜମୁଛି ବଣଭୋଜି । ଏହାସହ ବିରଳ ମାଛଙ୍କୁ ନେଇ ଗଢ଼ାଯାଇଥିବା ଜଳଜୀବ ସଂଗ୍ରହାଳୟରେ ବେଶ୍ ଭିଡ଼ ଲାଗୁଛି । ଆଗନ୍ତୁକଙ୍କ ସୁବିଧା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି ବନ୍ଦର ପ୍ରଶାସନ, ପୌରପାଳିକା ଓ ବିଭିନ୍ନ କମ୍ପାନି ।

ପ୍ରଦୂଷଣ ଯୁକ୍ତ ବନ୍ଦର ଧୀରେଧୀରେ ଦିଶିଲାଣି ସୁନ୍ଦର । ପ୍ରାକୃତିକ ପରିବେଶ ଆଉ ସହରର ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ ।