କନକ ବ୍ୟୁରୋ : ନବରଙ୍ଗପୁର ପାଇଁ ଆସିଲା ଖୁସି ଖବର । ପାଠ୍ୟକ୍ରମରେ ସାମିଲ ହେବ ନବରଙ୍ଗପୁରର ରକ୍ତ ତୀର୍ଥ ପାପଡାହାଣ୍ଡି ଗୁଳିକାଣ୍ଡ ଘଟଣା । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୧୯୪୨ ଅଗଷ୍ଟ ୨୩ ତାରିଖ ଦିନ ଇଂରେଜଙ୍କ ଗୁଳିରେ ଟଳି ପଡ଼ିଥିବା ୧୯ ଜଣ ସହିଦଙ୍କ ବିରତ୍ୱର କାହାଣୀ ପାଠ୍ୟ କ୍ରମରେ ସାମିଲ ହୋଇନଥିଲା । ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଉପାନ୍ତର ଏହି ସଂଗ୍ରାମୀଙ୍କ କଥା ଲୋକଲୋଚନକୁ ଆସିପାରିନଥିଲା । ବର୍ତ୍ତମାନ ପାଠ୍ୟ କ୍ରମରେ ସାମିଲ ହେବା ନେଇ ଜାଣିବା ପରେ ସହିଦଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Advertisment

ପିଲାଙ୍କ ପାଠ୍ୟ ପୁସ୍ତକରେ ସାମିଲ ହେବ ନରବଙ୍ଗପୁରର ରକ୍ତ ତୀର୍ଥ ପାପଡ଼ାହାଣ୍ଡି ଗୁଳିକାଣ୍ଡ ଘଟଣା । ବୀରପୁଅଙ୍କ ବୀରତ୍ୱର ଗାଥା ଜାଣିବ ପୁରା ରାଜ୍ୟ । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ଗରିବଙ୍କ ଭତ୍ତା ଟଙ୍କା ଖାଇଗଲେ ପିଇଓ ! ନ୍ୟାୟ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

୧୯୪୨ ଅଗଷ୍ଟ ୨୩, ନବରଙ୍ଗପୁର ତାରାଗାଁ ଗୁମ୍ମାପଦରରେ ଏକାଠି ହୋଇଥିଲେ ପ୍ରାୟ ୧୨ ଶହରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ । ଲକ୍ଷ୍ୟ ଥିଲା ଇଂରେଜମାନଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ । ତତ୍କାଳୀନ ଡାବୁଗାଁ ପୁଲିସ କରୁଥିବା ଅତ୍ୟାଚାରର ପ୍ରତିବାଦ । ଥାନା ଘେରାଉ ପାଇଁ ବାହାରିପଡ଼ିଲେ ସ୍ୱାଧୀନତା ସଂଗ୍ରାମୀ । ପୂର୍ବରୁ ସୂଚନା ପାଇ ତୁରୀ ନଦୀରେ ବନ୍ଧୁକ ଧରି ଜଗି ବସିଥିଲେ ଇଂରେଜ ପୁଲିସ । ସଂଗ୍ରାମୀଙ୍କୁ ଆଗକୁ ନବଢ଼ିବାକୁ ଚେତାବନୀ ଦେଇଥିଲେ । ପୁଲିସ ଗୁଳିକୁ ଖାତିର ନକରି ନଦୀ ଗର୍ଭକୁ ଆଗେଇ ଯାଇଥିଲେ । ଇଂରେଜଙ୍କ ଆଖିବୁଜା ଗୁଳିଚାଳନାରେ ସହିଦ ହୋଇଯାଇଥିଲେ ୧୯ ଜଣ । ବେସରକାରୀ ଭାବେ ମଧ୍ୟ ପାଣିକୁ ଡେଇଁ ଅନେକ ସହିଦ ହୋଇଥିଲେ। ଯାହାଙ୍କ ନାଁ ଲୋକଲୋଚନକୁ ଆସିପାରିନି ।

ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିବା ଏହି ବୀରପୁତ୍ର ଆଜି ବି ଇତିହାସ ପୃଷ୍ଠାରେ ଅଜ୍ଞ । ବିଳମ୍ବରେ ହେଉ ପଛେ ଏହି ଘଟଣାକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସହିଦଙ୍କ ପରିବାର ସଦସ୍ୟ । ରକ୍ତ ତୀର୍ଥର ଇତିହାସକୁ ନିର୍ଭୁଲ ଭାବେ ଉପସ୍ଥାପନା କରିବା ପାଇଁ ଦାବି ହୋଇଛି । ଚଳିତବର୍ଷ ଠାରୁ ଏହି ଘଟଣାକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ଦାବି ହୋଇଛି ।