କନକ ବ୍ୟୁରୋ: ବିଜେଡିରେ ଏବେ ବି ପାଣ୍ଡିଆନ ସବୁକିଛି କରୁଛନ୍ତି । ତାଙ୍କ ବିନା ଦଳରେ କିଛି ହେଉନି । ବିଜେଡି ଏବେ ଦୁଇ ଭାଗରେ କାମ କରୁଛି । ଏମିତି ସ୍ଥିତି ହେଲେ ଆଗାମୀ ଦିନରେ ଦଳ ବଡ଼ କ୍ଷତି ସହିବ । କିଛି ଏମିତି ବିସ୍ଫୋରଣ କରିଛନ୍ତି ପ୍ରଭାତ ତ୍ରିପାଠୀ । ଖାଲି ଏତିକି ନୁହେଁ ବରଂ କେମିତି ଦଳୀୟ ନିଷ୍ପତ୍ତି ବିପକ୍ଷରେ ଭୋଟ୍‌ ପଡ଼ିଲା ସେନେଇ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ପ୍ରଭାତ । କେବଳ ପ୍ରଭାତ ନୁହେଁ ବରଂ ବିଜେଡିର ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଏମିତି ବୟାନ ଦେଉଥିବାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ବିଜେଡିର ପାଣିପାଗ ଠିକ୍‌ ନାହିଁ । 

Advertisment

ବିଜେଡି ଡଙ୍ଗା ଦୋହଲୁଛି
ନସଜାଡିଲେ ବୁଡ଼ିଯିବ !
ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରକ ବୟାନ
ବିଜେଡିରେ ମତ ପାର୍ଥକ୍ୟ କାହିଁକି ?
କ୍ଷମତାରୁ ଯିବା ପରେ କାହିଁକି କେଁ ?

ବିଜେଡି ହାରିବା ପରେ ଦଳରେ ପ୍ରବଳ ଅସନ୍ତୋଷ । ନେତା ନେତାଙ୍କ ମଧ୍ୟରେ କଥା କଟାକଟି ହେଉଛି ତ ପୁଣି କେତେବେଳେ ଦଳୀୟ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ସାଂସଦ । ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ନବୀନ ସ୍ପଷ୍ଟ କରିଥିଲେ ବିରୋଧ କରିବାକୁ । ହେଲେ କେଉଁ ପରିସ୍ଥିତିରେ ଦଳ ଏହାକୁ ସମର୍ଥନ ଦେଲା ତାହାକୁ ନେଇ ବି ଚର୍ଚ୍ଚା ଜୋର । ସେପଟେ ପ୍ରଭାତ କିନ୍ତୁ ସ୍ପଷ୍ଟ କରିଛନ୍ତି, ସସ୍ମିତ କେବେ ହେଲେ ନିଜର ସୀମାରୁ ବାହାରିକି ଯିବେ ନାହିଁ । ବରଂ ଦଳରେ ସଭାପତିଙ୍କୁ ବି ନିଜଠୁ ଊର୍ଦ୍ଧ୍ବରେ ରଖିଥିବା ପାଣ୍ଡିଆନଙ୍କର ଏଥିରେ ସଂପୃକ୍ତି ରହିଛି ।

ସସ୍ମିତଙ୍କ ଭୋଟ୍‌ ପଛରେ ପାଣ୍ଡିଆନ
ବୋଧହୁଏ ସେଇଥି ଲାଗି ନବୀନ ଚୁପ୍‌

ସମୟ ଯେତିକି ଯେତିକି ବଢିବାରେ ଲାଗିଛି ୱାକଫ୍ ବିଲ୍‌କୁ ବିଜେଡି କାହିଁକି ସମର୍ଥନ ଦେଲା ସେନେଇ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ଦଳର ନିୟମ ମାନିନଥିବାରୁ ସସ୍ମିତଙ୍କ ବିରୋଧରେ ଆକ୍ସନ ହେଉ ବୋଲି ପୂର୍ବରୁ ବିଧାୟକ ଗଣେଶ୍ବର ବେହେରା କହିଥିଲେ । ଏବେ ପୁଣି ଥରେ ପ୍ରଭାତ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ବିଜେଡିରେ ନବୀନ ନୁହନ୍ତି ବରଂ ପାଣ୍ଡିଆନଙ୍କ କଥାରେ ନେତା ପରିଚାଳିତ ହେଉଛନ୍ତି । ଅବଶ୍ୟ ଏନେଇ ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ କହିଥିଲେ ଡାଇରେକ୍ଟର ବୋଲି ପରେ ପରେ ପାଣ୍ଡିଆନଙ୍କ ପାଇଁ ସବୁ ହୋଇଛି ବୋଲି ସ୍ପଷ୍ଟ କରିଥିଲେ । ହେଲେ ପ୍ରଭାତ ପୂରା ପ୍ରାଞ୍ଜଳ ଭାବରେ କହିଦେଲେ ପାଣ୍ଡିଆନଙ୍କ ଲାଗି ବିଜେଡିରେ ଅସନ୍ତୋଷ ବୃଦ୍ଧି ହେଉଛି ।