କନକ ବ୍ୟୁରୋ: ୱାକଫ୍ ବିଲ୍କୁ ନେଇ ପୂରା ରାଜ୍ୟ ଉଠୁଛି ପଡୁଛି । ବିଜେଡିର ସାଂସଦମାନେ କାହାକୁ ଭୋଟ୍ ଦେଇଛନ୍ତି ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ପ୍ରଥମ ଦିନରୁ ହିଁ ସସ୍ମିତ କହିଛନ୍ତି ସେ ବିଲ୍କୁ ସମର୍ଥନ ଦେଇଛନ୍ତି । ଯଦି ସସ୍ମିତ ସମର୍ଥନ ଦେଇଛନ୍ତି ତେବେ ଅନ୍ୟମାନେ ସମର୍ଥନରେ ଭୋଟ୍ ଦେଇଛନ୍ତି ନା ବିରୋଧରେ ଦେଇଛନ୍ତି ସେନେଇ ଅନେକ ଚର୍ଚ୍ଚା ହେଉଛି । ଅବଶ୍ୟ ସାଂସଦ ମୁନା ଖାଁ ବିଲ୍ ବିରୋଧରେ ଭୋଟ୍ ଦେଇଛନ୍ତି ଏବଂ ଦେବାଶିଷ ଆଦୌ ଭୋଟ୍ ଦେଇନଥିବା ସେ କହିଛନ୍ତି । ବାକି ଯେଉଁ ସାଂସଦ ରହିଲେ ସେମାନଙ୍କୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ସ୍ପଷ୍ଟ କରିଛନ୍ତି ବିବେକ ଅନୁସାରେ ଭୋଟ୍ ଦେଇଛୁ । ଏମିତି କରିବା ପାଇଁ କାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିଲା ।
ୱାକଫ୍କୁ ବିରୋଧ କରିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ
ସମର୍ଥନ ଦେବାକୁ ପୁଣି କାହିଁକି କହିଲେ ?
ବିଜେପି ଚାପରେ ନବୀନ ଚେପା କି ?
ବିଜେଡି ନିଷ୍ପତ୍ତି ନେଇଥିଲା କି, ୱାକଫ୍ ବିଲ୍କୁ ରାଜ୍ୟସଭାରେ ବିରୋଧ କରାଯିବ । ଯଦି ବିରୋଧ କରିବାର ଥିଲା, ତାହେଲେ ସମର୍ଥନ ଦେଲା କେମିତି ? ଯଦି ସମର୍ଥନ ଦେବାରେ ଥିଲା ତାହେଲେ ଦଳର ଅନ୍ୟ ନେତାଙ୍କୁ ଏନେଇ କାହିଁକି ଅବଗତ କରାଗଲା ନାହିଁ ? ଦଳୀୟ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ କରିବାକୁ କାହିଁକି ପ୍ଲାନ୍ ହୋଇଥିଲା ? ଗଣମାଧ୍ୟମକୁ ଏନେଇ କାହିଁକି ସୂଚନା ଦିଆଯାଇନଥିଲା ? ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।
କହୁ କହୁ କହିଦେଲେ ସୁଲତା
ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ ନବୀନ
ଚର୍ଚ୍ଚାରେ ବିଜେଡି ସୁପ୍ରିମୋ । ପ୍ରଥମେ ୱାକଫ୍କୁ ବିରୋଧ କରିବାକୁ କହିଥିଲେ, ହେଲେ ଶେଷରେ କେମିତି ସମର୍ଥନ ଦେଲେ ସେନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି ଏନଡିଏ ଚାପରେ ନବୀନ ଏମିତି ନିର୍ଦ୍ଦେଶ ଦେଇଥାଇପାରନ୍ତି । ହେଲେ ସମସ୍ତ ସାଂସଦକୁ ଏନେଇ ନିର୍ଦ୍ଦେଶ ଥିଲା ନା କିଛି ସୀମିତ ସାଂସଦକୁ ଥିଲା ସେନେଇ ବି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ ଦେବାଶିଷ ସ୍ପଷ୍ଟ କରିଥିଲେ ବିବେକ ଅନୁସାରେ ଭୋଟ୍ ଦେବାକୁ କୌଣସି ନିର୍ଦ୍ଦେଶ ନଥିଲା । ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି, ବିଜେଡିରେ ନିଷ୍ପତ୍ତି କ'ଣ ହେଉଛି ସେନେଇ ନେତା ବି ଜାଣୁନାହାନ୍ତି । ଅବଶ୍ୟ ସୁଲତା ସ୍ପଷ୍ଟ କରିଛନ୍ତି କି, ସେ କାହାକୁ ଭୋଟ୍ ଦେଇଛନ୍ତି କହିବେ ନାହିଁ । ହେଲେ ବିବେକ ଅନୁସାରେ ଭୋଟ୍ ଦେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।