କନକ ବ୍ୟୁରୋ: ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍କୁ ନେଇ ବିବାଦ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଦିନେ ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିବାକୁ ଧମକ ଦେଉଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ଆଇସିସିର କଡ଼ା ଆଭିମୁଖ୍ୟ ପରେ ଆଲୋଚନା ଟେବୁଲକୁ ଫେରିଛି । ତେବେ ଏହି ଆଲୋଚନା ମଧ୍ୟରେ ପିସିବି ଆଇସିସି ସମ୍ମୁଖରେ ଏଭଳି ତିନୋଟି ସର୍ତ୍ତ ରଖିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ରବିବାର ଲାହୋରଠାରେ ଆଇସିସିର ଡେପୁଟି ଚେୟାରମ୍ୟାନ ଇମ୍ରାନ ଖ୍ୱାଜା ଏବଂ ପିସିବି ମୁଖ୍ୟ ମୋହସିନ ନକଭିଙ୍କ ମଧ୍ୟରେ ଏକ ଦୀର୍ଘ ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାକିସ୍ତାନ ପକ୍ଷରୁ କିଛି ଦାବି ଉପସ୍ଥାପନ କରାଯାଇଛି । ସେହି ଦାବି ଗୁଡ଼ିକ ହେଲା
- ପାକିସ୍ତାନ ଚାହୁଁଛି ଯେ ଆଇସିସି ପକ୍ଷରୁ ତାକୁ ମିଳୁଥିବା ବାର୍ଷିକ ପାଣ୍ଠି ବା ଫଣ୍ଡିଂରେ ବୃଦ୍ଧି କରାଯାଉ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପିସିବି ପାଇଁ ଏହା ଅତ୍ୟନ୍ତ ଜରୁରୀ, କିନ୍ତୁ ଆଇସିସିର ନିୟମ ଅନୁଯାୟୀ ଏହା ସହଜ ମନେ ହେଉନାହିଁ ।
- ପାକିସ୍ତାନ ଦାବି କରିଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଆରମ୍ଭ କରାଯାଉ । ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ, କାରଣ ଗୋଟିଏ ପଟେ ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ବହିଷ୍କାର କରିବାକୁ କହୁଥିବା ବେଳେ ଅନ୍ୟପଟେ ଭାରତ ସହ ଖେଳିବାକୁ ବ୍ୟାକୁଳ ଅଛି । ଭାରତ ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ସିରିଜ୍ ସମ୍ଭବ ନୁହେଁ ।
- ପଡ଼ିଆରେ ଖେଳ ଭାବନା ବଜାୟ ରଖିବା ପାଇଁ ପାକିସ୍ତାନ 'ହ୍ୟାଣ୍ଡସେକ୍ ପ୍ରୋଟୋକଲ' ଲାଗୁ କରିବାକୁ ଦାବି କରିଛି । ଅର୍ଥାତ୍ ମ୍ୟାଚ୍ ପରେ ଉଭୟ ଦଳର ଖେଳାଳି ହାତ ମିଳାଇବା ବାଧ୍ୟତାମୂଳକ କରାଯାଉ ।
ଆହୁରି ପଢ଼ନ୍ତୁ... ଏପଷ୍ଟାଇନ୍ ଯୌନ ତସ୍କରୀ ଦଳ ଚଲାଉଥିଲେ କି: ଏଫ୍ବିଆଇର ତଦନ୍ତ କଣ କହୁଛି
ପାକିସ୍ତାନର ଏହି 'ହ୍ୟାଣ୍ଡସେକ୍' ଦାବି ପଛରେ ୨୦୨୫ ଏସିଆ କପ୍ର ଏକ ବଡ଼ କାରଣ ରହିଛି । ସେତେବେଳେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ତିନୋଟି ଯାକ ମ୍ୟାଚ୍ରେ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଏପରିକି ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କ ମଧ୍ୟରେ ହାତ ମିଳାମିଶା ହୋଇନଥିଲା । ଏହି ଘଟଣା ପାକିସ୍ତାନକୁ ବହୁତ ବାଧିଥିଲା, ଯାହାକୁ ଏବେ ସେମାନେ ପ୍ରସଙ୍ଗ କରିଛନ୍ତି।
ବୈଠକରେ ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ପାକିସ୍ତାନ ସରକାର ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଆଇସିସିର ଚାପ ପରେ ପିସିବି ନରମ ପଡ଼ିଛି । ମୋହସିନ ନକଭି ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ଏହି ସର୍ତ୍ତ ଗୁଡ଼ିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱିତା କୁହାଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରି ୧୫ରେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଏବେ ଦେଖିବାକୁ ବାକି ରହିଲା, ପାକିସ୍ତାନ ନିଜ ସର୍ତ୍ତରେ ଅଟଳ ରହୁଛି ନା କ୍ରିକେଟର ସ୍ୱାର୍ଥ ଦୃଷ୍ଟିରୁ ମଇଦାନକୁ ଓହ୍ଲାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/pakistan-2026-02-09-15-29-35.jpg)