କନକ ବ୍ୟୁରୋ: ପାକିସ୍ତାନକୁ ବିଶ୍ବକପ୍ର ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନ କରିବା ଲାଗି ମନାଇବାକୁ ଆଇସିସି ବଡ଼ ବୈଠକ ଡାକିଛି । ଏହି ବୈଠକ ଲାହୋରରେ ବସିଛି । ଏଥିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକ୍ଭୀଙ୍କ ସହ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଧ୍ୟକ୍ଷ ଅମିନୁଲ ଇସଲାମ ଯୋଗ ଦେଇଛନ୍ତି । ଏହି ଦୁଇ ବୋର୍ଡ ସହ ଯୋଗସୂତ୍ର ରକ୍ଷା କରି ସମ୍ମାନଜନକ ଭାବେ ଏହି ବିବାଦର ସମାଧାନ ଲାଗି ଆଇସିସି ତା’ର ଉପାଧ୍ୟକ୍ଷ ଇମ୍ରାନ୍ ଖୱାଜାଙ୍କୁ ମଧ୍ୟସ୍ତି ନିଯୁକ୍ତ କରିଛି । ତାଙ୍କୁ ମଧ୍ୟ ସ୍ବତନ୍ତ୍ର ଦୂତ ଭାବେ ପାକିସ୍ତାନ ପଠାଇଛି ଆଇସିସି । ସିଙ୍ଗାପୁର କ୍ରିକେଟ୍ ବୋର୍ଡକୁ ପ୍ରତିନିଧିତ୍ବ କରୁଥିବା ଖୱାଜା ହେଉଛନ୍ତି ବିଶ୍ବ କ୍ରିକେଟ୍ର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି । ତାଙ୍କର ଉଭୟ ପିସିବି ଓ ବିସିବି ଅଧିକାରୀଙ୍କ ସହ ସୁସଂପର୍କ ରହିଛି । ଏଣୁ ତାଙ୍କ ହସ୍ତକ୍ଷେପ ପରେ ମାମଲା ଲାଗି ସମାଧାନର ବାଟ ବାହରିଯିବ ବୋଲି ଆଇସିିସି ଆଶା ରଖିଛି ।
ଏହା ବି ପଢ଼ନ୍ତୁ: ଜାତୀୟ ଦୃଷ୍ଟିବାଧିତ ଫୁଟ୍ବଲ୍ ଶିବିରରେ ପଦ୍ମିନୀ, ସୁମିତ୍ରା, ଆକାଶ
ଗତିରୋଧ ଦୂର ପାଇଁ ଖୱାଜା ଆବଶ୍ୟକ ହେଲେ ଦିନେ ଦୁଇ ଦିନ ଲାହୋରରେ ରହିବାର ସୂଚନା ମଧ୍ୟ ଆଇସିସି ଦେଇଛି । ଆଇସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖୱାଜା ଏହି ବିବାଦୀୟ ମାମଲାରେ ମଧ୍ୟସ୍ତି ଦାୟିତ୍ବ ତୁଲାଇବେ । ତାଙ୍କୁ ଆଇସିସି ବୋର୍ଡ ଏଥିଲଗି ସର୍ବସମ୍ମତିକ୍ରମେ ମନୋନୀତ କରିଛି । ନକ୍ଭୀଙ୍କୁ ସେ ରବିବାର ଭେଟ କରିଛନ୍ତି । ଅମିନୁଲ ପୂର୍ବରୁ ସେଠାରେ ଅଛନ୍ତି । ରବିବାର ହିଁ ଲାହୋରରେ ଏକ ତ୍ରିପକ୍ଷୀୟ ବୈଠକ ଅନୁଷ୍ଠିତ ହେବ । ଏହା ପରେ ସବୁକିଛି ସମାଧାନ ହୋଇଯିବ ବୋଲି ଆମେ ଆଶା ରଖିଛୁ ।
ସୂଚନାଯୋଗ୍ୟ ଯେ ପୂର୍ବରୁ କଠୋର ନିଷ୍ପତ୍ତି ନେଇଥିବା ପିସିବି ବିଶ୍ବକପ୍ର ଅନ୍ୟତମ ଆୟୋଜକ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡଠାରୁ ପତ୍ର ପାଇବା ପରେ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଆଇସିସିକୁ ଅନୁରୋଧ କରିଥିଲା । ପୂର୍ବ ସଂପର୍କକୁ ଦ୍ବାହି ଦେଇ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରୁ ଓହରିଯିବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ମୁଖ୍ୟ ସାମି ସିଲ୍ଭା ଏହି ପତ୍ରରେ ନକ୍ଭୀଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ପର୍ଯ୍ୟାଲୋଚନା କରିବା ସହ ଆଇସିସି ମଧ୍ୟ ପିସିବି ଯଦି ତା’ ନିଷ୍ପତ୍ତି ନ ବଦଳାଏ, ତା’ହେଲେ କି ପ୍ରକାର ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନେଇହେବ, ସେ ନେଇ ବିଶେଷଜ୍ଞଙ୍କ ରାୟ ନେଉଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ମୁଖ୍ୟ ସାମି ସିଲ୍ଭାଙ୍କ ସହ ଅଧିକ ଆଲୋଚନା ପାଇଁ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୋଗ ଗୁପ୍ତା ମଧ୍ୟ ସଂପ୍ରତି କଲମ୍ବୋରେ ଅଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ପ୍ରତୀକ୍ଷିତ ବିଶ୍ବକପ୍ ମ୍ୟାଚ୍ ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/08/icc-pcb-2026-02-08-19-59-53.jpg)