କନକ ବ୍ୟୁରୋ : ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟି-୨୦ ବିଶ୍ୱକପରୁ ବାଦ ପଡ଼ିବା ପରେ ଦଳର ପ୍ରଦର୍ଶନ, ତ୍ରୁଟି ଏବଂ ଭବିଷ୍ୟତର ଚ୍ୟାଲେଞ୍ଜ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ରୋମାଞ୍ଚକର ବିଜୟ ସତ୍ତ୍ୱେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବାର ଯନ୍ତ୍ରଣା ଆଗାଙ୍କ ବକ୍ତବ୍ୟରୁ ଯେମିତି ସ୍ପଷ୍ଟ ହୋଇଥିଲା । ପରାଜୟ ପାଇଁ ସେ ଟସ୍, କାକର ଏବଂ ମଧ୍ୟକ୍ରମର ବିଫଳତାକୁ ମୁଖ୍ୟ କାରଣ ବୋଲି କହିଛନ୍ତି । କ୍ୟାପଟେନ୍ ଦାସୁନ ଶାନାକାଙ୍କ ଚମତ୍କାର ଇନିଂସ ଶ୍ରୀଲଙ୍କାକୁ ୫ ରନର ସଂକୀର୍ଣ୍ଣ ପରାଜୟରୁ ରକ୍ଷା କରିପାରିନଥିଲା କିନ୍ତୁ ଶନିବାର ପାକିସ୍ତାନ ବିଶ୍ୱକପରୁ ବାଦ ପଡ଼ିଥିଲା ଯାହା ଫଳରେ ଗ୍ରୁପ୍ ୨ରେ ଶୀର୍ଷରେ ଥିବା ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ସହିତ ସେମିଫାଇନାଲକୁ ଉଠିପାରିଥିଲା । ଶ୍ରୀଲଙ୍କା ବିପକ୍ଷରେ ପରାଜୟ ପରେ ଅଧିନାୟକ ସଲମାନ ଆଗା ସ୍ୱୀକାର କରିଛନ୍ତି ଯେ ପାଲେକାଲ ପରିସ୍ଥିତିରେ ଟସ୍ ହାରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେ କହିଛନ୍ତି "ମୁଁ ଟସ୍ ହାରିବା ପରଠାରୁ ମ୍ୟାଚ୍ ଚ୍ୟାଲେଞ୍ଜିଂ ହୋଇଗଲା , କାକର ଏହାର ଏକ ବଡ଼ କାରଣ ଥିଲା । ପିଚ୍ ବହୁତ ଭଲ ଥିଲେ ବି ପ୍ରତିପକ୍ଷଙ୍କୁ ୧୪୮ ରନରେ ସୀମିତ ରଖିବା ସବୁବେଳେ ଏକ କଠିନ ଚ୍ୟାଲେଞ୍ଜ ହୋଇଥିଲା ।’’ ସଲମାନ ସ୍ୱୀକାର କରିଛନ୍ତି ଯେ ଯଦି ଟସ୍ ସେମାନଙ୍କ ଇଚ୍ଛାରେ ଯାଇଥା’ନ୍ତା, ତେବେ କାହାଣୀ ଭିନ୍ନ ହୋଇପାରିଥା’ନ୍ତା ।

Advertisment

ଆଗକୁ ପଢ଼ନ୍ତୁ : ସଂଘର୍ଷର ଅନ୍ୟ ନାଁ ସଞ୍ଜୁ ସାମସନ୍, ଦଳରୁ ବାଦ ପଡ଼ି ବି ଭାଙ୍ଗି ନଥିଲା ମନୋବଳ

ପାକିସ୍ତାନର ସ୍ପିନରମାନେ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେମାନେ ବିଫଳ ହୋଇଥିଲେ । ଆଗା କହିଛନ୍ତି, "କାକର ଆମ ଯୋଜନାକୁ ନଷ୍ଟ କରିଦେଇଛି କାରଣ ଆମେ ଯେପରି ଭାବେ ପ୍ଲାନିଂ କରିଥିଲୁ ସେପରି କାର୍ଯ୍ୟକାରୀ କରିପାରିଲୁ ନାହିଁ । ଆଜି ଉସମାନ ଖାନଙ୍କର ଦିନ ଖରାପ ଥିଲା କିନ୍ତୁ ଟି-୨୦ରେ ଏଭଳି ସମୟ ବେଳେବେଳେ ଆସେ ।’’ ବ୍ୟାଟିଂ ସମସ୍ୟା ବିଷୟରେ କହିବାକୁ ଗଲେ ସଲମାନ ଆଗା ଏହି ବିଶ୍ୱକପରେ ଦୁଇଟି ଶତକ ହାସଲ କରିଥିବା ସାହିବଜାଦା ଫରହାନଙ୍କୁ ପ୍ରଶଂସା କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟସମ୍ୟାନମାନଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଆଗାଙ୍କ ଅନୁଯାୟୀ, ପୂରା ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଂ ଏକ ଚିନ୍ତାର ବିଷୟ ଥିଲା । ସାହିବଜାଦା ଫରହାନ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ଯଦି ତାଙ୍କୁ ଅଧିକ ସମର୍ଥନ ମିଳିଥାନ୍ତା ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା । ଗତ କିଛି ବର୍ଷ ଧରି ପାକିସ୍ତାନ କ୍ରିକେଟର ମିଡିଲ୍ ଅର୍ଡର ଏକ ସମସ୍ୟା ହୋଇ ରହିଛି ।

ତେବେ ସଲମାନ ଆଗା ଇନିଂସର ଶେଷ ଓଭରରେ ୱିକେଟ ହରାଇବା ନେଇ ନିରାଶ ପ୍ରକାଶ କରିଥିଲେ । ପାକିସ୍ତାନ ଶେଷ ଦୁଇ ଓଭରରେ ପାଞ୍ଚ ୱିକେଟ ହରାଇ ମାତ୍ର ୧୪ ରନ କରିଥିଲା । ଅଧିନାୟକ କହିଥିଲେ, "ଯଦି ଆମେ ଶେଷ ଦୁଇ ଓଭରରେ ଆହୁରି ୧୦-୧୫ ରନ ଯୋଡିଥା’ନ୍ତୁ, ତେବେ ଖେଳ ପରିବର୍ତ୍ତନ ହୋଇପାରିଥାନ୍ତା ।" ଶେଷରେ ସେ ଜୋର୍ ଦେଇ କହିଥିଲେ ଯେ ପାକିସ୍ତାନ କ୍ରିକେଟକୁ ଏବେ ମିଡିଲ୍ ଅର୍ଡର ଡିପାର୍ଟମେଣ୍ଟରେ ପୁନଃବିଚାର ଏବଂ ଗଭୀର ଭାବରେ ପରିବର୍ତ୍ତନ କରିବାକୁ ପଡ଼ିବ ।