କନକ ବ୍ୟୁରୋ: ବର୍ବର, ଅନୈତିକ ଓ ଅମାନବୀୟ... ନିଜ ଖରାପ ଅଭ୍ୟାସରୁ କେବେ ବି ସୁଧୁରିବନି ପାକିସ୍ତାନ । ଭାରତ ପରେ ଏବେ ଆଫଗାନିସ୍ତାନ ସହ ଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ । କେବଳ ଯୁଦ୍ଧ ନୁହେଁ ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ ହୋଇଛି । ଯାହାକୁ ପାକିସ୍ତାନକୁ ଚାରିଆଡୁ ନିନ୍ଦା କରାଯାଉଛି । 

Advertisment

ପାକିସ୍ତାନୀ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ମୃତ୍ୟୁ ହୋଇଛି । ଏହି ହୃଦୟବିଦାରକ ଘଟଣା ପାକଟିକା ପ୍ରଦେଶର ଉରଗୁନ ଜିଲ୍ଲାରେ ଘଟିଛି, ଯେଉଁଠାରେ ଆଫଗାନିସ୍ତାନ କ୍ରିକେଟର କବୀର, ସିବଗାତୁଲ୍ଲା ଏବଂ ହାରୁନଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏବେ ପ୍ରତିକ୍ରିୟା ରଖିଛି । 

ପାକିସ୍ତାନୀ ସାମରିକ କାର୍ୟ୍ୟାନୁଷ୍ଠାନ ସମୟରେ ପାକଟିକା ପ୍ରଦେଶରେ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହେବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କା ସହ ହେବାକୁ ଥିବା ଆଗାମୀ ତ୍ରିକୋଣୀୟ ସିରିଜରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି । 

ଖେଳାଳିଙ୍କ ମୃତ୍ୟୁ ପାଇଁ କ୍ରିକେଟ ବୋର୍ଡ ଗଭୀର ଶୋକ ପ୍ରକାଶ କରିଛି ଏବଂ ଏହାକୁ ଦେଶର କ୍ରୀଡା ଜଗତ, ବିଶେଷକରି କ୍ରିକେଟ ପାଇଁ ଏକ ବଡ଼ କ୍ଷତି ବୋଲି କହିଛି । ଏହି ତ୍ରିକୋଣୀୟ ଟି-୨୦ ସିରିଜ୍ ଆସନ୍ତା ନଭେମ୍ବରରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା । 

ସୂଚନା ଅନୁସାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଥିଲା । ଶୁକ୍ରବାର ଦିନ, ଉଭୟ ଦେଶ ପାରସ୍ପରିକ ସହମତିରେ ୪୮ ଘଣ୍ଟାର ଅସ୍ତ୍ରବିରତି ବୃଦ୍ଧି କରିବାକୁ ରାଜି ହୋଇଥିଲେ । କିନ୍ତୁ, କିଛି ଘଣ୍ଟା ପରେ, ତାଲିବାନ ଆଫଗାନିସ୍ତାନର ପାକତିକା ପ୍ରଦେଶରେ ପାକିସ୍ତାନ ଉପରେ ବିମାନ ଆକ୍ରମଣ କରିଥିବା ଅଭିଯୋଗ କରିଥିଲା । ପାକିସ୍ତାନ ଡୁରାଣ୍ଡ ରେଖା ସହିତ ପାକତିକା ପ୍ରଦେଶର ଅନେକ ଜିଲ୍ଲାରେ ଏୟାର ଷ୍ଟ୍ରାଇକ କରିଥିବା ଆଫଗାନିସ୍ତାନ କହିଥିଲା । 

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏ ସମ୍ପର୍କରେ ଏକ ଲମ୍ବା ପୋଷ୍ଟ ସେୟାର କରିଛି, ଯେଉଁଥିରେ କୁହାଯାଇଛି ଯେ ଆକ୍ରମଣରେ କ୍ରିକେଟର୍ କବୀର, ସିବଗତୁଲ୍ଲା ଏବଂ ହାରୁନ୍ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି, ଯେତେବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା କ୍ରିକେଟର୍ ପାକତିକାର ରାଜଧାନୀ ଶରଣାରେ ଏକ ମ୍ୟାଚ୍ ଖେଳିବାକୁ ଯାଇଥିଲେ । ଘରକୁ ଫେରିବା ପରେ, ଉର୍ଗୁନ୍ ଜିଲ୍ଲାରେ ଏକ ସମାବେଶ ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା । 

ପହଲଗାମ ଆକ୍ରମଣ ପରେ ଗତ ମେ’ ମାସରେ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଆଉ ଅନେକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଦେଇଥିଲା । ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କ ଛିନ୍ନ ହୋଇଥିଲା । ଏମିତି କ୍ରିକେଟରେ ବି ଏହାର ଝଲକ ଦେଖିବାକୁ ମିଳିଥିଲା । ଭଉୟ ଦେଶ ମଧ୍ୟରେ କ୍ରିକେଟ ଖେଳ ହୋଇଥିଲା ସତ, ହେଲେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କୁ ବେଜିତ୍ କରି ଏହାର ବଦଲା ନେଇଥିଲେ । ଆଉ ଆଗାକୁ ବି ଏହି ଧାରା ଜାରି ରହିବ ବୋଲି କୁହାଯାଉଛି । 

ଆଫଗାନିସ୍ତାନ-ଭାରତ ସମ୍ପର୍କ ଦେଖି ସହିପାରୁନି ପାକିସ୍ତାନ । ଯେତେବେଳେ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଭାରତ ଆସିଥିଲେ ଠିକ ସେହି ସମୟରେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଆଉ ଏହି ଯୁଦ୍ଧ ଏବେ ବଢ଼ିବାରେ ଲାଗିଛି । ଏମିତି କି ଆଫଗାନିସ୍ତାନ ସହ ପାକିସ୍ତାନ ଧୋକାବାଜ୍ କାମ ବି କରୁଛି ।