କନକ ବ୍ୟୁରୋ:  ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସିମ ମୁନୀର ଏବେ ଯେଉଁ ରାସ୍ତାରେ ଚାଲିଛନ୍ତି ତାହା ପାକିସ୍ତାନ ଇତିହାସରେ ପୂର୍ବରୁ କେବେ କୌଣସି ସେନା ମୁଖ୍ୟ କରିନାହାନ୍ତି । ଅମର ହେବାକୁ ଚାହୁଛନ୍ତି ମୁନୀର  । କହିବାର ମାନେ, ବଞ୍ଚିଥିବା ଯାଏଁ ପାକିସ୍ତାନର ସେନାମୁଖ୍ୟ ହୋଇ ରହିବାକୁ ଚାହାନ୍ତି ମୁନୀର । ସେ ସଫା ସଫା କହିସାରିଛନ୍ତି, ଅବସର ନେବା କଥାଟା ତାଙ୍କ ଅଜେଣ୍ଡାରେ ହି ନାହିଁ । ତାଙ୍କର ଏଭଳି ମନ୍ତବ୍ୟ ପରେ ତାଙ୍କୁ ପାକିସ୍ତାନ ସତ୍ତାର ସବେସର୍ବା ବନାଇଦିଆଯାଇଛି। କିନ୍ତୁ ସେହି ଅନୁପାତରେ ତାଙ୍କ ଜୀବନ ପ୍ରତି ବିପଦ ବି ବଢ଼ିଯାଇଛି ।

Advertisment

Delhi Terror Blast : “ଦେଶ ଏବେ ସୁରକ୍ଷିତ ହାତରେ ନାହିଁ”

ପାକିସ୍ତାନ ସମ୍ବିଧାନରେ ୨୭ ତମ ସଂଶୋଧନ ପରେ ଅସିମ ମନୀରଙ୍କୁ ’ଜେନରଲ ଫର୍ ଲାଇଫ୍’ ବନାଇଦିଆଯାଇଛି । ଏଭଳି ଭାବେ ପାକିସ୍ତାନର ସିଭିଲ ସରକାର କେଉଁଠି କେମିତି ଟିକେ ରହିଯାଇଥିବା ଗଣତନ୍ତ୍ରକୁ ବି ସେନା ମୁଖ୍ୟାଳୟ ହାତରେ ଟେକିଦେଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ୍ ଖାନ ତ ଏବେ ଜେଲରେ , ବିରୋଧୀ ବୋଲି କେହି ନାହିଁ କହିଲେ ଚଳେ । ଆଉ ଚତୁର୍ଥ ସ୍ତମ୍ଭର ଆଖ୍ୟା ପାଇଥିବା ଗଣମାଧ୍ୟମକୁ ବି କବଜା କରିସାରିଛି ସେନା । ଆଉ ଏଭଳି ସମୟରେ ସେନା ମୁଖ୍ୟ ନିଜକୁ ସର୍ବେସର୍ବା ଓ ଅମର ବୋଲି ଘୋଷଣା କରିବା ଛୋଟ କଥା ନୁହେଁ  । ଦେଶର ରାଜନେତାଙ୍କୁ ବେଶି କିଛି ଫରକ୍ ନପଡ଼ିପାରେ କିନ୍ତୁ ସେନାର ଅନ୍ୟ ଜେନେରାଲ ବା ଅଧିକାରୀଙ୍କ ନିଶ୍ଚିତ ଅସନ୍ତୁଷ୍ଟ କରିଥିବ  । କାରଣ ପାକିସ୍ତାନ ଉପରେ ହୁକୁମାତି କରିବା ନେଇ ସେମାନଙ୍କ ସ୍ବପ୍ନ ଆଉ ପୂରଣ ହେବନି ।

ଏବେଯାଏଁ ପାକିସ୍ତାନର ଇତିହାସରେ ଯାହା ଘଟିଛି ସେ ଅନୁସାରେ ଅବସର ପରେ ସେନାମୁଖ୍ୟମାନେ ବିଦେଶ ଯାଇ ସେଠାରେ ପୂରା ସୁରକ୍ଷିତ ଆଉ ନିଶ୍ଚିତ ଜୀବନ ବିତାନ୍ତି । ଜେନରଲ ଅଶରଫ୍ ପରଭେଜ୍ କିୟାନୀ ହୁଅନ୍ତୁ ବା ଜେନରଲ ରାହିଲ ଶରିଫ୍ , କମର ଜାଭେଦ୍ ବାଜୱା ଏମାନେ ଦାୟିତ୍ବରେ ଥିବାବେଳେ ହିଁ ବିଦେଶରେ ନିଜ ଠିକଣା ଠିକ୍ କରିନେଇଥିଲେ । ପରଭେଜ୍ ମୁଶାରଫ୍ ବି ନିଜ ଜୀବନର ଶେଷ ଦିନ  ଦେଶ ବାହାରେ ବିତାଇଲେ । କିନ୍ତୁ ସମସ୍ତଙ୍କଠାରୁ ଅଲଗା ବାଟରେ ଯାଇ କେବେ ପାକିସ୍ତାନ ଛାଡ଼ି କୁଆଡ଼େ ଯିବେନି ବୋଲି ଘୋଷଣା କରିଛନ୍ତି ମୁନୀର ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପାକିସ୍ତାନ ଆର୍ମିରେ ପ୍ରତି ୩ ବର୍ଷରେ ସେନାମୁଖ୍ୟ ବଦଳିବାର ନିୟମ ରହିଛି , ଯାହା ଉପରେ ସେନାର ପୂରା ଡାଞ୍ଚା ପିରାମିଡ୍ ଭଳି କାମ କରୁଛି । ହେଲେ ଯଦି ଶୀର୍ଷରେ ବସିଥିବା ବ୍ୟକ୍ତି ଯଦି କେବେ ଗାଦି ନଛାଡ଼େ ତାହଲେ ତାଙ୍କ ଅଧୀନରେ ଥିବା ଅଧିକାରୀ ଆଉ କେତେ ଦିନ ନିଜ ସଚ୍ଚୋଟପଣିଆ ଦେଖାଇବେ ? ସେନା ଅଧିକାରୀମାନେ ଜାଣିସାରିଲେଣି ଯେପର୍ଯ୍ୟନ୍ତ ମୁନୀର ଥିବେ ସେବେଯାଏଁ ସେମାନଙ୍କର କିଛି ଉନ୍ନତି ସମ୍ଭବ ନୁହେଁ । ଏସବୁ ତର୍ଜମା କଲେ ଆଗକୁ ଏକ ବଡ଼ ବିଦ୍ରୋହ ପାକିସ୍ତାନରେ ମୁଣ୍ଡ ଟେକିବା କଥାଟାକୁ ଅସ୍ବୀକାର କରିହେଉନି । 

କ’ଣ ନୀତୀଶ କୁମାର ହେବେନାହିଁ କି ବିହାରର ମୁଖ୍ୟମନ୍ତ୍ରୀ ? ୯ ଟା ସୁଦ୍ଧା ଆସିଥିବା ଆକଳନ ବଢ଼ାଇଲା ହୃଦସ୍ପନ୍ଦନ

ଏବେ ଅସିମ ମୁନୀରଙ୍କ ସ୍ଥିତି ଜଣେ ଏଭଳି ସୁଲତାନଙ୍କ ଭଳି ଯାହାଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା । କାରଣ ପାକିସ୍ତାନ ଇତିହାସରେ ଯିଏ ବି ଦୀର୍ଘ ଦିନ ସତ୍ତାରେ ରହିବାକୁ ଇଚ୍ଛା କରିଛି ତାଙ୍କର ଅନ୍ତ ଅତି ଦୟନୀୟ ହୋଇଛି । ୧୦ ବର୍ଷ ରାଷ୍ଟ୍ରପତି ଥିବା ଜିୟା ଉଲ୍ ହକ୍ ଏକ ବିମାନ ଦୁର୍ଘଟଣାରେ ଚାଲିଗଲେ ଯାହା ଏବେବି ରହସ୍ୟମୟ । ପୁଣି ଆଖି ଦେଖାଇ ୮ ବର୍ଷ ସତ୍ତାରେ ରହିଥିବା ପରଭେଜ୍ ମୁଶରଫ୍ ଆଜି ଦୁବାଇରେ ଗୁମନାମ୍ ଜୀବନ ବିତାଇବା ସହ ରୋଗଯ୍ୟାରେ ପଡ଼ି ଛଟପଟ ହୋଇ ମୃତ୍ୟୁବରଣ କଲେ । ତେଣୁ ପାକିସ୍ତାନର ଯେଉଁ ଗାଦି କାହାକୁ ଶକ୍ତି ଦେଇଛି ,କ୍ଷମତା ଦେଇଛି ସେହି ଗାଦି ଘୋର ପତନର କାରଣ ବି ପାଲଟିଛି । 

 ପାକିସ୍ତାନ ଇତିହାସରେ ଯେବେ. ଯେବେ ସେନା ଭିତରେ ଅସନ୍ତୋଷ ବଢ଼ିଛି, ସେନାର ସର୍ବୋଚ୍ଚ ସ୍ଥାନରେ ଥିବା ବ୍ୟକ୍ତି ବଳି ପଡ଼ିଛନ୍ତି , ତାଙ୍କର ପତନ ହୋଇଛି । ସେ ପତନ ଦୁର୍ଘଟଣା ହୋଇପାରେ , ଜେଲର ଅନ୍ଧାର କୋଠରୀ ବି ହୋଇପାରେ । ପାକିସ୍ତାନର ଘୋର ଆର୍ଥିକ ସଙ୍କଟ ଭିତରେ ସେନାର ଅସନ୍ତୋଷ  ଯେକୌଣସି ସମୟରେ ଅସିମ ମୁନୀରଙ୍କ ପାଇଁ ଭୟଙ୍କର ବିସ୍ଫୋରକ ହୋଇପାରେ । ତେଣୁ କୁହାଯାଇପାରେ ମୁନୀର ଅମର ହେବା ଇଚ୍ଛାରେ ଏବେ ନିଜ କବର ନିଜେ ଖୋଳୁଛନ୍ତି ।
 ବ୍ୟୁରୋ ରିପୋର୍ଟ- କନକ ଡିଜିଟାଲ