Photograph: (kanaknews)
କନକବ୍ୟୁରୋ : ସମ୍ବଲପୁରରେ ସ୍ବାଭାବିକ ହେବ ଧାନକିଣା। ୪ ଦିନ ପରେ ଆଜିଠୁ ମଣ୍ଡିରୁ ଉଠିବ ଧାନ। ଆଜି ମଣ୍ଡି ସ୍ୱାଭାବିକ ହେବାନେଇ ଆଶା କରାଯାଉଛି। ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଥିଲେ ମଧ୍ୟ ମିଲର ଚୁକ୍ତି ସ୍ଵାକ୍ଷର କରିନଥିଲେ ବୋଲି ଧାନ ଉଠୁନଥିଲା। ଗତକାଲି ଟୋକାନ ସମସ୍ୟା ଓ ପି - ପାସ ଜେନେରେଟ ହେଉନଥିବାରୁ NH 53 ଅବରୋଧ କରିଥିଲେ ଚାଷୀ । ପ୍ରାୟ ୮ ଘଣ୍ଟା ଧାରଣାରେ ବସିବା ପରେ ପ୍ରଶାସନ ମଙ୍ଗଳବାର ଠାରୁ ଧାନ କିଣା ସ୍ୱାଭାବିକ ହେବା ନେଇ ପ୍ରତିଶୃତି ଦେବାପରେ ଚାଷୀ ଉଠିଥିଲେ । ତେବେ ପ୍ରଶାସନର ପ୍ରତିଶୃତି ଅନୁଯାୟୀ ଆଜିଠାରୁ ଧାନ କିଣା ସ୍ୱାଭାବିକ ହେବ ବୋଲି ଚାଷୀ ଆଶା କରିଛନ୍ତି
ଅଧିକ ପଢନ୍ତୁ... ପର୍ଯ୍ୟଟନ ପାଇଁ ପରିବେଶକୁ ଦିଆଯାଉଛି ବଳି : ହୀରାକୁଦରେ କଟା ହେବ ୧୬୯୦ ଗଛ
ସେପଟେ ଗତକାଲି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଥିଲା । ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ । କିନ୍ତୁ ମିଲର ଆସି ନ ଥିଲେ । ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ ହୋଇଥିଲା । ଜିଦ୍ରେ ଅଟଳ ମିଲର୍ସମାନେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ । ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ମିଲର୍ସମାନଙ୍କୁ ଡାକି ଆଲୋଚନା କରିଥିଲେ । କିନ୍ତୁ ଉକ୍ତ ବୈଠକ ବି ବିଫଳ ହୋଇଥିଲା ।
ଯଦି ଆସନ୍ତାକାଲି ମିଲର୍ସମାନେ ଧାନସଂଗ୍ରହ ପ୍ରକ୍ରିୟାରେ ସାମିଲ ନ ହେବେ ତା’ହେଲେ ପ୍ରଶାସନଠାରୁ ଆଉ କୌଣସି ସହଯୋଗ ଆଶା ରଖିବେ ନାହିଁ ବୋଲି ଜିଲ୍ଲାପାଳ ସେମାନଙ୍କୁ ଚେତାବନୀ ଦେଇଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେଇଥିଲେ। ରାଜ୍ୟ ମିଲର୍ସ ସଂଘର ସଭାପତି ମହେଶ ବଂଶଲ ନିଜ ପ୍ରତିକ୍ରିୟାରେ କହିଥିଲେ, ବାରମ୍ବାର ରାଜ୍ୟ ଯୋଗାଣ ବିଭାଗକୁ ମିଲର୍ସଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଗଲା ନାହିଁ । ଗତ ୧୯ ତାରିଖରେ ୧୧ ଦଫା ଦାବି ରଖି ମିଲର୍ସ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା। ମୁଖ୍ୟମନ୍ତ୍ରୀ ବି ପଦକ୍ଷେପ ନେଲେ ନାହିଁ । ତେଣୁ ଆମେ ବାଧ୍ୟ ହୋଇ ଦାବି ପୂରଣ ନ ହେବା ଯାଏଁ ଚୁକ୍ତି ନକରିବାକୁ ନିଷ୍ପତ୍ତି ନେଇଛୁ ।
Follow Us