କନକ ବ୍ୟୁରୋ : ନିଜର ବିଭିନ୍ନ ଦାବି ପୂରଣ ନିମନ୍ତେ ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଥିବା ପାଚିକା ସଂଘର ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପାଚିକା ଓ ସହାୟିକାମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ତେବେ ଖୋଲା ଆକାଶ ତଳେ ଚାଲିଥିବା ଏହି ବିଶାଳ ସମାବେଶ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ହଠାତ୍ କିଛି ଆନ୍ଦୋଳନକାରୀ ବେହୋସ ହୋଇ ତଳେ ପଡିଯାଇଥିଲେ ।

Advertisment

କେବଳ ଜଣେ ନୁହେଁ, ପ୍ରବଳ ଭିଡ଼ ଏବଂ ମାନସିକ ଚାପ ଯୋଗୁଁ ଆନ୍ଦୋଳନସ୍ଥଳରେ ଅସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଗୁରୁତର ଅସୁସ୍ଥ ହୋଇପଡିଥିବା ପାଚିକାମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଥାପି ପାଚିକା ସଂଘ ନିଜ ଜିଦରେ ଅଟଳ ରହିଛି । ସଂଘ ପକ୍ଷରୁ ସରକାରଙ୍କୁ ଖୋଲା ଚେତାବନୀ ଦିଆଯାଇଛି ଯେ, "ଯେପର୍ଯ୍ୟନ୍ତ ସରକାର ଆମର ଦାବି ପୂରଣ କରିନାହାନ୍ତି, ସେଯାଏଁ ଆମେ ରାଜରାସ୍ତାରୁ ହଟିବୁ ନାହିଁ । ଦରକାର ପଡିଲେ ଜୀବନ ଦେବୁ ପଛେ, ଖାଲି ହାତରେ ଫେରିବୁ ନାହିଁ।"

ଅଧିକ ପଢ଼ନ୍ତୁ--ବିଧାନସଭାରେ ମାଲକାନଗିରି ନିଆଁର ତାତି;ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଅନ୍ୟପଟେ, ପାଚିକାମାନେ ସାମୂହିକ ଭାବେ କାର୍ଯ୍ୟବନ୍ଦ କରି ରାଜଧାନୀରେ ଏକାଠି ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ଗାଁ ଗହଳିର ସ୍କୁଲଗୁଡ଼ିକ ଉପରେ ପଡିଛି । ପାଚିକାଙ୍କ ଅନୁପସ୍ଥିତି ଯୋଗୁଁ ରାଜ୍ୟର ଅନେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରନ୍ଧା ବାଧାପ୍ରାପ୍ତ ହୋଇଛି, ଫଳରେ ଛାତ୍ରଛାତ୍ରୀମାନେ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଗମ୍ଭୀର ପରିସ୍ଥିତି ଏବଂ ବ୍ୟାପକ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସମସ୍ୟାର ସମାଧାନ ଶୀଘ୍ର ନ ହେଲେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି ।