କନକ ବ୍ୟୁରୋ: ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ନିଖିଳ ଓଡ଼ିଶା ପାଚିକା ସଂଘ । ରାଜ୍ୟର ବିଦ୍ୟାଳୟ ମାନଙ୍କରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ପାଚିକା ମାନଙ୍କୁ ଉଚିତ ପାଉଣା ମିଳୁନଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି ପାଚିକା । ଯେଉଁ ୨ହଜାର ଟଙ୍କା ପାଉଛନ୍ତି ତାହା ବି ନିୟମିତ ଭାବେ ମିଳୁନାହିଁ । ଯାହାକୁ ନେଇ ବିଇଓଙ୍କ ଅଫିସ୍ ଘେରାଉ କରିଛନ୍ତି ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘ । ସଂଘର ଜିଲ୍ଲା ସଭାପତି ପାଣ୍ଡଵ ଭୋଇଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସାପ୍ତାହିକ ବଜାର ନିକଟରୁ ବହାରି ବିଇଓ ଅଫିସ୍ ନିକଟରେ ପହଞ୍ଚିଥିଲା। ସେଠାରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ପାଚିକା ମାନଙ୍କୁ ସରକାରୀ ମାନ୍ୟତା, ମାସିକ ମଜୁରୀ ପ୍ରଦାନ ଏବଂ ୧୦ ମାସ ପରିଵର୍ତ୍ତେ ୧୨ ମାସର ପାରିଶ୍ରମିକ ଦେବା ନେଇ ଦାବି କରାଯାଇଥିଲା । ଏହା ସହ ୧୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଇଓଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଏହି ସବୁ ଦାବି ଉପରେ ସରକାର ଧ୍ୟାନ ନଦେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘ ।