Operation Sindoor Photograph: (Google)
କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ୨୦୨୫ ମେ’ ମାସର ଆରମ୍ଭରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନ ସମୟରେ, ଭାରତୀୟ ସଶସ୍ତ୍ର ସେନା ପାକିସ୍ତାନର ଆଭ୍ୟନ୍ତର ଅଞ୍ଚଳରେ ଆକ୍ରମଣ କରିଥିଲା । ଫଳରେ ଦୁଇ ଦେଶ ମଧ୍ୟରେ ଆକାଶ ସଂଗ୍ରାମ ହୋଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂରରେ ପାକିସ୍ତାନୀ ସେନାକୁ ପରାସ୍ତ କରିଥିଲା । ଭାରତର ଚାରି ଦିନିଆ ଅପରେସନର ସଫଳତାକୁ ସମଗ୍ର ବିଶ୍ୱ ସ୍ୱୀକାର କରିଥିଲା । ଏକ ବିସ୍ତୃତ ୟୁରୋପୀୟ ସାମରିକ ବିଶ୍ଳେଷଣ ଏବେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ,ପାକିସ୍ତାନ ସହ ବାୟୁ ସଂଘର୍ଷ ସମୟରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖି ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାୟୁ ପ୍ରତିରକ୍ଷାକୁ ସୁରକ୍ଷିତ ରଖିଥିଲା । ଏକ ସ୍ୱିସ୍ ରିପୋର୍ଟରେ ଭାରତର ସଫଳତାର କାରଣ ମୁକାବିଲାର ଗତି ଓ ପରିସର ଉଭୟକୁ ନିୟନ୍ତ୍ରଣ କରିବା ନେଇ ଉଲ୍ଲେଖ କରାଯାଇଛି । ପାକିସ୍ତାନୀ ସେନା ବିଫଳ ହୋଇଥିବା ଏଥିରେ ଦର୍ଶାାଯାଇଛି । ଅପରେସନ୍ ସିନ୍ଦୂର: ଭାରତ-ପାକିସ୍ତାନ ବାୟୁ ଯୁଦ୍ଧ (୭-୧୦ ମେ’ ୨୦୨୫),ଶୀର୍ଷକ ଏହି ରିପୋର୍ଟ ସ୍ୱିଜରଲାଣ୍ଡରେ ଅବସ୍ଥିତ ଏକ ସ୍ୱାଧୀନ ସ୍ୱିସ୍ ସାମରିକ ଇତିହାସ ଓ ରଣନୈତିକ ଅଧ୍ୟୟନ ସଂଗଠନ ସ୍ୱିସ୍ ଇନଷ୍ଟିଚ୍ୟୁଟ୍ ଡି'ହିଷ୍ଟୋଇର୍ ଏଟ୍ ଡି ପ୍ରୋସ୍ପେକ୍ଟିଭ୍ସ ମିଲିଟାୟର୍ସ (ସିଏଚପିଏମ) ଦ୍ୱାରା ପ୍ରକାଶିତ ହୋଇଛି। ୧୯୬୯ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା କୌଣସି ସରକାରଙ୍କ ସହିତ ଜଡିତ ନହୋଇ ନିଜକୁ ଏକ ନିରପେକ୍ଷ ମଞ୍ଚ ଭାବରେ ଉପସ୍ଥାପିତ କରିବାକୁ ସକ୍ଷମ ହୋଇଛି ।
ଅଧିକ ପଢନ୍ତୁ: ସଂସଦରେ ଅପରେସନ ସିନ୍ଦୂର ନେଇ ହେବ ଆଲୋଚନା : ଭାରତୀୟ ବୀର ଯବାନଙ୍କ ବୀରତ୍ବ ସମ୍ପର୍କରେ ଆଲୋଚନା କରିବେ ଉଭୟ ଶାସକ ଓ ବିରୋଧୀ
ପାକିସ୍ତାନ ଭିତରେ ପଶି ଆକ୍ରମଣ
ରିପୋର୍ଟରେ କୁହାଯାଇଛି, ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ପୂର୍ବ ଆଭିମୁଖ୍ୟଠାରୁ ସ୍ପଷ୍ଟ ଭାବରେ ଭିନ୍ନ ଭାବରେ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତୀୟ ସେନାକୁ ପାକିସ୍ତାନ ମଧ୍ୟରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ଅଧିକାର ଦେଇଥିଲା। ସଶସ୍ତ୍ର ବାହିନୀକୁ ପରିସ୍ଥିତି ପରିଚାଳନା ପାଇଁ ମୁକ୍ତହସ୍ତ ପ୍ରଦାନ କରାଯାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ ଦୀର୍ଘ ଦୂରଗାମୀ, ସଠିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆକ୍ରମଣ ଆରମ୍ଭ କରିଥିଲା । ଏହି ସମୟ ମଧ୍ୟରେ ଅଧିକାଂଶ ଭାରତୀୟ ସାମରିକ ବିମାନ ସେମାନଙ୍କ ଆକାଶ ସୀମା ମଧ୍ୟରେ ରହିଥିଲେ।
ଭାରତର ଜୋରଦାର୍ ପ୍ରସ୍ତୁତି
ଅଧ୍ୟୟନରେ କୁହାଯାଇଛି ଯେ, ଭାରତ ପୂର୍ବରୁ ବଡ଼ ଧରଣର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇସାରିଥିଲା । ମାନବହୀନ ବାୟୁ ପ୍ରଣାଳୀ ପ୍ରତିରକ୍ଷା ଅଭ୍ୟାସ ୨୦୨୫ ଏପ୍ରିଲ ଶେଷ ଭାଗରେ କରାଯାଇଥିଲା । ଏହା ପାକିସ୍ତାନୀ ଡ୍ରୋନ୍ ଆକ୍ରମଣର କଡ଼ା ଜବାବ ଦେଇଥିଲା । ଭାରତର ସଠିକ ଆକ୍ରମଣ ଯୋଗୁ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଭିତ୍ତିଭୂମିକୁ ବହୁତ କ୍ଷତି ପହଞ୍ଚିଥିଲା। ଭାରତର ଆକ୍ରମଣରେ ଉତ୍ତେଜିତ ହୋଇ ପାକିସ୍ତାନ ଡ୍ରୋନ୍, ରକେଟ୍, କ୍ଷେପଣାସ୍ତ୍ର ଓ ବିମାନ ଅଭିଯାନ ମାଧ୍ୟମରେ ପ୍ରତିଶୋଧ ନେଇଥିଲା । ମୁଖ୍ୟ ଟାର୍ଗେଟ ଥିଲା ଭାରତୀୟ ବାୟୁସେନା ଘାଟି ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଏହି ଆକ୍ରମଣ ଭାରତର ବାୟୁ ପ୍ରତିରକ୍ଷା ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବାରେ ବିଫଳ ହୋଇଥିଲା ।
ଗୋଟିଏ ବି ଏସ୍-୪୦୦୦ କ୍ଷତିଗ୍ରସ୍ତ ହୋଇନଥିଲା
ଭାରତ ପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ରଗୁଡ଼ିକ ବାରମ୍ବାର ଟାର୍ଗେଟ କରାଯାଇଥିଲା । ଯାହା ଫଳରେ ପାକିସ୍ତାନୀ ସେନା ସଠିକ୍ ତଥ୍ୟ ପ୍ରଦାନ କରିପାରିନଥିଲା । ଭାରତ ପାକିସ୍ତାନର ଅଧିକାଂଶ ଗୋଳାବାରୁଦ ଆକ୍ରମଣକୁ ପ୍ରତିହତ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂଘର୍ଷ ସମୟରେ ଗୋଟିଏ ବି ଭାରତୀୟ ଏସ-୪୦୦ ବ୍ୟାଟେରୀ କ୍ଷତିଗ୍ରସ୍ତ ହୋଇନଥିଲା । ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ବାୟୁସେନାକୁ କଡ଼ା ଜବାବ ଦେଇଥିଲା।
ଭୟରେ ପାକିସ୍ତାନ ରାଡାର ବନ୍ଦ କରିଦେଇଥିଲା
ରିପୋର୍ଟରେ ଏହା କୁହାଯାଇଛି, ଭାରତୀୟ ଆକ୍ରମଣ ପାକିସ୍ତାନକୁ ନିଜର ଅନେକ ରାଡାର ବନ୍ଦ କରିବାକୁ ବାଧ୍ୟ କରିଥିଲା । ପାକିସ୍ତାନର ବାୟୁ ଓ ଡ୍ରୋନ୍ କାର୍ଯ୍ୟର ସମନ୍ୱୟ ରଖିବାର କ୍ଷମତା ହ୍ରାସ ପାଇଥିଲା। ଭାରତୀୟ ଆକ୍ରମଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ମେ’ ୧୦ ତାରିଖରେ ଘଟିଥିଲା। ଯେତେବେଳେ ଭାରତ ବ୍ରହ୍ମୋସ, ସ୍କେଲପ୍ ଓ ରାମ୍ପେଜ୍ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନୀ ଅଞ୍ଚଳ ଭିତରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଦୂରଗାମୀ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ସମନ୍ୱିତ ଆକ୍ରମଣ ଡ୍ରୋନ୍ ଭିତ୍ତିଭୂମି, ହ୍ୟାଙ୍ଗର ଓ ରନୱେ ସମେତ ୧୧ଟି ପାକିସ୍ତାନୀ ବାୟୁକ୍ଷେତ୍ରକୁ ଟାର୍ଗେଟ କରାଯାଇଥିଲା । ଭାରତୀୟ ବାୟୁକ୍ଷେତ୍ର ଭିତରୁ ଏହି ଆକ୍ରମଣ ଭାରତର ବାୟୁ ଶ୍ରେଷ୍ଠତା ପ୍ରମାଣିତ କରି ପାକିସ୍ତାନର କ୍ଷମତାକୁ ଯଥେଷ୍ଟ ସୀମିତ କରିଥିଲା। କିଛି ଆକ୍ରମଣ ପାକିସ୍ତାନୀ ପରମାଣୁ ପ୍ରତିଷ୍ଠାନ ନିକଟରେ ହୋଇଥିଲା । ଏହି ଆକ୍ରମଣ ପରେ, ପାକିସ୍ତାନ ଉତ୍ତେଜନା ହ୍ରାସ କରିବାକୁ ବାଧ୍ୟ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଭାରତ ସମଗ୍ର ସଂଘର୍ଷରେ ନିୟନ୍ତ୍ରଣ ବଜାୟ ରଖିଥିଲା ଓ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲା ।
Follow Us