କନକ ବ୍ୟୁରୋ: ସମୟ ବଡ଼ ବଳବାନ । ଠିକ୍ ତିନି ବର୍ଷ ତଳେ, ୧୯ ନଭେମ୍ବର ୨୦୨୩, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟର ମିଚେଲ ମାର୍ଶଙ୍କର ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ଫଟୋରେ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଆରାମରେ ବସିଥିବାର ଦେଖାଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ବିବାଦ ହୋଇଥିଲା । ଅନେକ ପ୍ରଶଂସକ ଏହାକୁ ଖେଳ ଏବଂ ଟ୍ରଫି ପ୍ରତି ଅପମାନ ବୋଲି କହିଥିଲେ ।
ମାର୍ଶ ସେତେବେଳେ ଅତି ଅହଂକାରର ସହ କହିଥିଲେ, "ସେଥିରେ କିଛି ଭୁଲ ନାହିଁ ଏବଂ ଦରକାର ପଡ଼ିଲେ ମୁଁ ପୁଣିଥରେ ଏମିତି କରିବି।" କିନ୍ତୁ ଆଜି ୧୭ ଫେବ୍ରୁଆରି ୨୦୨୬ରେ ସମୟର ଚକ ବୁଲିଛି । ସେଦିନର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଆଜି ଟି-୨୦ ବିଶ୍ୱକପ୍ ୨୦୨୬ରୁ ଲଜ୍ଜାଜନକ ଭାବେ ବାହାରି ଯାଇଛି । ସୋସିଆଲ ମିଡିଆରେ ଏବେ ଏହାକୁ ‘ପ୍ରକୃତିର ନ୍ୟାୟ’ ବୋଲି କୁହାଯାଉଛି । ଯେଉଁ ଟ୍ରଫିର ଅପମାନ ମାର୍ଶ କରିଥିଲେ, ଆଜି ସେହି ଅପମାନ ପାଇଁ ଭଗବାନ ସେମାନଙ୍କୁ ଶିକ୍ଷା ଦେଇଛନ୍ତି ।
ମଙ୍ଗଳବାର ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଜିମ୍ବାୱେ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହେବାର ଥିଲା । କିନ୍ତୁ ଲଗାତାର ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରିଲା ନାହିଁ ଏବଂ ମ୍ୟାଚକୁ ବାତିଲ କରାଗଲା । ଏହି କାରଣରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଲା । ଜିମ୍ବାୱେ ମୋଟ ୫ ପଏଣ୍ଟ ପାଇ ସୁପର-୮ ପାଇଁ କ୍ୱାଲିଫାଇ କରିଥିବା ବେଳେ ଅଷ୍ଟ୍ରେଲିଆ ଏବଂ ଆୟରଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।
ଆହୁରି ପଢ଼ନ୍ତୁ... ଟି-୨୦ ବିଶ୍ବକପରେ ଲିଗ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ଚତୁର୍ଥ ବିଜୟ, ନେଦରଲ୍ୟାଣ୍ଡସକୁ ୧୭ ରନରେ ହରାଇଲା ସୂର୍ଯ୍ୟ ବାହିନୀ
ଅଷ୍ଟ୍ରେଲିଆର ଆଶା ଥିଲା ଯେ ଯଦି ଜିମ୍ବାୱେ ତାଙ୍କର ବାକି ଦୁଇଟି ଯାକ ମ୍ୟାଚ୍ ହାରିଯାଏ, ତେବେ କଙ୍ଗାରୁ ଦଳ ସୁପର-୮କୁ ଯାଇପାରିବ । କିନ୍ତୁ ପ୍ରକୃତିର ଯୋଜନା କିଛି ଅଲଗା ଥିଲା । ବର୍ଷା ଯୋଗୁଁ ଅଷ୍ଟ୍ରେଲିଆର ସମସ୍ତ ସମୀକରଣ ଧୋଇଗଲା।
ଜିମ୍ବାୱେ ଏବେ ଗ୍ରୁପ୍-G1ରେ ସ୍ଥାନ ପାଇଛି, ଯେଉଁଠାରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ପରି ଶକ୍ତିଶାଳୀ ଦଳ ଅଛନ୍ତି । ସବୁଠାରୁ ରୋମାଞ୍ଚକର କଥା ହେଉଛି, ଫେବ୍ରୁଆରି ୨୬ରେ ଚେନ୍ନାଇଠାରେ ଜିମ୍ବାୱେ ତା’ର ପ୍ରଥମ ସୁପର-୮ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବ ।
କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଏକ ଶିକ୍ଷା । ଏଠାରେ ଯେତିକି ଶକ୍ତି ଅଛି, ସେତିକି ନମ୍ରତା ମଧ୍ୟ ରହିବା ଆବଶ୍ୟକ । ଅଷ୍ଟ୍ରେଲିଆର ଏହି ବିଦାୟ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ ଉଦାହରଣ । ସମୟର ଚକ୍ର ସବୁବେଳେ ଘୁରୁଥାଏ । ଆଜି ଅଷ୍ଟ୍ରେଲିଆ ନିଜର ସେହି ଭୁଲ୍କୁ ବୁଝିଥିବ, ଯେଉଁଥିପାଇଁ ସେମାନେ ଟ୍ରଫିକୁ ସମ୍ମାନ ଦେବା ଭୁଲିଯାଇଥିଲେ। ସେଥିପାଇଁ କୁହାଯାଏ, ସଫଳତା ସମୟରେ ପାଦ ଭୂମିରେ ରହିବା ଦରକାର, ଟ୍ରଫି ଉପରେ ନୁହେଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/australia-cricket-2026-02-19-08-28-22.jpg)