କନକ ବ୍ୟୁରୋ: ଏକଦା ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଥିଲା ବିଜେଡିର ଗଡ଼ । ହେଲେ ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ଗଡ଼ ଭାଙ୍ଗି କଂଗ୍ରେସ ନେତା ଅଶୋକ ଦାସ ବିଧାୟକ ଭାବରେ ନିର୍ବାଚିତ ହେଲେ । ତେଣୁ ଅଶୋକ ବିଧାୟକ ହେବା ପରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ରାଉତରାୟ ପରିବାରର ଦବଦବା କମିବା ଆରମ୍ଭ ହୋଇଛି ।
କେବଳ ସେତିକି ନୁହେଁ ଗତ ସାଧାରଣ ନିର୍ବାଚନରେ ବିଜେଡିର ଯୁବ ନେତା ବାଣୀକଲ୍ୟାଣ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ସେତେବେଳେ ଏଠାରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ଏଠାରେ ବିଜେପିରେ ଅଧିକ ସକ୍ରିୟ କରିବାରେ ଲାଗିଛନ୍ତି । ଆଉ ତାହାରି ଭିତରେ ନିକଟରେ ପୁଣି ବାସୁଦେବପୁରର ବିଜେଡି ନେତା ତଥା ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ଗତ ୬ ତାରିଖରେ ବିଜେପିରେ ମିଶି ଯାଇଛନ୍ତି । ତାଙ୍କ ସହିତ ବିଜେଡିର ବହୁ ପୁରୁଣା ନେତା ଓ କର୍ମୀ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ତେବେ ଦେଖିବାକୁ ଗଲେ ନଗେନ୍ଦ୍ର ବିଜେଡି ଛାଡ଼ିବା ପରେ ବାସୁଦେବପୁରରେ ବିଜେଡିର ବିପର୍ଯ୍ୟୟ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ଏହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନିଜର ବିଜେଡି ଦଳର ସ୍ଥିତି ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ଆହୁରି ପଢ଼ନ୍ତୁ: ଭାରତ ଉପରେ ଆଉ ଏକ ଟାରିଫ ଲଗାଇବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି
ବିଜେଡି ଦଳରୁ ତୃଣମୂଳ ସ୍ତରର କର୍ମୀ ତାଙ୍କ ନିକଟରେ ଆଉ ନରହି ବିଜେପି ମୁହାଁ ହେଉଥିବାରୁ ବିଷ୍ଣୁବ୍ରତଙ୍କର ଚିନ୍ତା ବଢ଼ିଛି । ତେଣୁ ଏପରି ସମୟରେ କେମିତି ଦଳକୁ ଏଭଳି ସ୍ଥିତିରେ ରକ୍ଷା କରାଯାଇପରିବ ତାହାର ତର୍ଜମା କରୁଛନ୍ତି । ବାସୁଦେବପୁର ଅସ୍ଥିର ବିଜେଡି ସଙ୍ଗଠନକୁ ସ୍ଥିରତା ଆଣିବା ପାଇଁ ଯୋଜନା ଚାଲିଛି । ତିନି ପିଢିର ଶାସନ କ୍ଷମତା ଭୋଗ କରିଥିବା ନୀଳମଣି ରାଉତରାୟ, ବିଜୟଶ୍ରୀ ରାଉତରାୟ ଓ ପରେ ବିଷ୍ଣୁବ୍ରତ ରାଉତରାୟ ବିଧାୟକ ହୋଇଥିଲେ । ଏବେ ଆଉ ସେହି ପରିବାର ହାତରୁ ଦଳର ଲଗାମ ଖସି ଯାଉଥିବାରୁ ରାଉତରାୟ ପରିବାର ଏକ ପ୍ରକାର ଚିନ୍ତାରେ ରହିଛନ୍ତି । ବିଷ୍ଣୁବ୍ରତ ରାଉତରାୟ(ଜିତୁ) ନିଜର ଗଡ଼ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି ।
ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ କାଳେ ସରପଞ୍ଚ, ସମିତି ସଭ୍ୟଙ୍କୁ ହାତେଇ ନେବେ, ଏହି ଲକ୍ଷ୍ୟରେ ଏବେ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି ବିଷ୍ଣୁବ୍ରତ ରାଉତରାୟ। ନିଜ ଦଳର ନିର୍ବାଚିତ ପ୍ରତିନିଧି ଓ ଆଗ ଧାଡ଼ିର ପୁରୁଖା ନେତୃମଣ୍ଡଳୀଙ୍କୁ କାର୍ଯ୍ୟାଳୟକୁ ଡକାଇ ଏକାଠି କରିବାକୁ ଉଦ୍ୟମ କରିଛନ୍ତି । ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳଙ୍କ ଇସ୍ତଫା ପରେ କେହି ବିଚଳିତ ହେବାର ନାହିଁ, ଆମେ ସଂଗଠିତ ହୋଇରହିବା । ଦଳ ପାଇଁ କାମ କରିବା । ଲୋକଙ୍କ ପାଖରେ ରହିବା, ତାଙ୍କ ସମସ୍ୟା ସହିତ ଜଡିତ ହେବା, ବିରୋଧୀ ଦଳର ଭୂମିକା ନିଭାଇବା ବୋଲି ଗୁରୁମନ୍ତ୍ର ଦେଇଛନ୍ତି ବିଷ୍ଣୁବ୍ରତ । ତେବେ ଏହି ବୈଠକରେ ଦଳର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ପୁରୁଖା କର୍ମୀ ସାମିଲ ହୋଇଥିଲେ । ଆଗକୁ ଯାହା ଜଣାପଡ଼ୁଛି, ବାସୁଦେବପୁର ଅନେକ ବିଜେଡି ନେତା ଦଳ ଛାଡ଼ି ବିଜେପିରେ ମିଶିବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେଣୁ ଏହାରି କିନ୍ତୁ ଜିତୁ ନିଜର ଗଡ଼ ରକ୍ଷା କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି କିନ୍ତୁ ସେଥିରେ ସେ ସଫଳ ହେବେ କି ନା ତାହା ସମୟ କହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/09/bjd-bhadrak-2025-12-09-09-35-40.jpg)