କନକ ବ୍ୟୁରୋ: ଓଡ଼ିଶାର ‘ସ୍ନୋ ଗର୍ଲ’ ଭାବେ ପରିଚିତା ରଂଜିତା ବେହେରା ନିଜ ନାମରେ ଥିବା ପୂର୍ବ ରେକର୍ଡକୁ ଆଗକୁ ବଢ଼ାଇଛନ୍ତି । ରାଜ୍ୟର ପ୍ରଥମ ତଥା ଏକମାତ୍ର ଖେଳାଳି ଭାବେ ରଂଜିତା କ୍ରମାଗତ ୫ ଥର ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ବିରଳ ରେକର୍ଡ କରିଛନ୍ତି । ସୋମବାରଠାରୁ କାଶ୍ମୀରର ଗୁଲମାର୍ଗରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଷଷ୍ଠ ସଂସ୍କରଣରେ ରଂଜିତା ନିଜ ଇଭେଣ୍ଟ୍ ‘ଆଲପାଇନ୍ ସ୍କି’ରେ ଅଂଶଗ୍ରହଣ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ରଂଜିତା ପ୍ରଥମ ଦିନର ସଲାଲମ୍ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ଭଳି ଏକ ବରଫବିହୀନ ରାଜ୍ୟରୁ ନିରଂତର ଭାବେ ଶୀତକାଳୀନ କ୍ରୀଡ଼ାରେ ଜାତୀୟ ପ୍ରତିନିଧିତ୍ବ କରିବା ବଡ଼ ଆହ୍ବାନ ଥିଲେ ମଧ୍ୟ ରଂଜିତା ଅଭିଜ୍ଞତାକୁ ଉପଯୋଗ କରି ସନ୍ତୁଳନ ନହରାଇ ଫିନିସିଂ ପଏଣ୍ଟ୍ ପହଞ୍ଚିପାରିଛନ୍ତି । ବରଫାବୃତ୍ତ ରାଜ୍ୟ, ସୁରକ୍ଷାବଳ କ୍ରୀଡ଼ାବିତ୍ଙ୍କ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ରଂଜିତା ନିଜ ଉପସ୍ଥିତିକୁ ଜାହିର କରି ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି । ଶୀତକାଳୀନ କ୍ରୀଡ଼ାରେ ଓଡ଼ିଶାକୁ ଉପସ୍ଥିତିକୁ ନିୟମିତ କରିପାରିଥିବାରୁ ରଂଜିତାଙ୍କ ନିଷ୍ଠା, ତ୍ୟାଗ, ସାହସ, ପରିଶ୍ରମ, ପ୍ରତିବଦ୍ଧତାକୁ ସ୍କି ଆଣ୍ଡ୍ ସ୍ନୋ ବୋର୍ଡ ଆସୋସିଏସନ୍ ଅଫ ଓଡ଼ିଶାର ସଭାପତି ଅନୂପ କୁମାର ନାୟକ (ଓଏଫଏସ୍), ସମ୍ପାଦକ ସୁଶାନ୍ତ କୁମାର ଦାସ ଓ ଅନ୍ୟ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ: ଗୁଲମାର୍ଗରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଦ୍ୱିତୀୟ ପର୍ଯ୍ୟାୟ
Follow Us