କନକ ବ୍ୟୁରୋ: ପଶ୍ଚିମବଙ୍ଗର ହୁଗୁଳିଠାରେ ଚଳିତ ଫେବ୍ରୁଆରି ୨୪ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୪୬ତମ ଜାତୀୟ ଉପକନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ) ପକ୍ଷରୁ ଖେଳାଳି ଚୟନ କିଟ୍‌ ବିଶ୍ବବିଦ୍ୟାଳୟ ବହୁମୁଖୀ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ପାଖାପାଖି ୨୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନ, କୌଶଳ ଓ ଦକ୍ଷତାର ମୂଲ୍ୟାୟନ କରାଯାଇ ସେମାନଙ୍କ ମଧ୍ୟରୁ ୨୦ଜଣ ଲେଖାଏଁ ବାଳକ ଓ ବାଳିକାଙ୍କୁ ରାଜ୍ୟ ସମ୍ଭାବ୍ୟ ଦଳ ପାଇଁ ବଛାଯାଇଥିଲା । ଏହି ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଆଉ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ । ସେଠାରୁ ଉଭୟ ବାଳକ ଓ ବାଳିକା ବର୍ଗର ୧୪ଜଣ ଲେଖାଏଁ ଖେଳାଳିଙ୍କୁ ଚୂଡ଼ାନ୍ତ ଓଡ଼ିଶା ଦଳରେ ସ୍ଥାନ ମିଳିବ । ଶିବିରଟି ପ୍ରତିଷ୍ଠିତ ଭଲିବଲ୍‌ ପ୍ରଶିକ୍ଷକ ଯଥା ଲୋତକବିନ୍ଦୁ ଦାସ, ସୁଧାଂଶୁ ଭୂଷଣ ମିଶ୍ର, ସୁଦର୍ଶନ ପଟ୍ଟନାୟକ ଏବଂ ଓଭିଏ ସଂପାଦକ ଡ. ଗଗନେନ୍ଦୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ସମ୍ଭାବ୍ୟ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଶୁଭକାମନା ଜ୍ଞାପନ କରିଛନ୍ତି ।

Advertisment

ଏହା ବି ପଢ଼ନ୍ତୁ: ଜାତୀୟ ମହିଳା ଦିନିକିଆ: ସରିତାଙ୍କ ଶତକ; ଓଡ଼ିଶାର ବିଜୟ ଜାରି