କନକ ବ୍ୟୁରୋ: ରାଜକୋଟରେ ଚାଲିଥିବା ବିସିସିଆଇ ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି । ନିଜର ପ୍ରଥମ ମ୍ୟାଚ୍‌ରେ ମଧ୍ୟପ୍ର‌ଦେଶକୁ ହରାଇଥିବା ଓଡ଼ିଶା ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଆସାମକୁ ୧୦୬ ରନ୍‌ରେ ପରାସ୍ତ କରିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ସରିତା ମେହେର (୧୦୦, ୧୨୭ ବଲ୍‌, ୧୦ ଚୌକା)ଙ୍କ ଶତକ ବଳରେ ୪ ୱିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା । ଅଧିନାୟିକା ସୁଶ୍ରୀ ଦିବ୍ୟଦର୍ଶିନୀ (୮୫*, ୬୫ ବଲ୍‌, ୧୪ ଚୌକା) ଓ ମାଧୁରୀ ମେହେଟା (୫୧, ୭୯ ବଲ୍‌, ୪ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ସଙ୍ଗୀତା ଖଡ଼ିଆ ୨୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ । ଜବାବରେ ଓଡ଼ିଶା ବୋଲରଙ୍କୁ ସାମ୍ନା କରି ନପାରି ଆସାମ ୪୭.୫ ଓଭରରେ ୧୭୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ଗାୟତ୍ରୀ ଗୁରୁଙ୍ଗ ସର୍ବାଧିକ ୪୨ ରନ୍‌ କରିଥିଲେ । ଓଡ଼ିଶାର ଶୁଭ୍ର ନିର୍ଝରିଣୀ ୩, ରିମାଲକ୍ଷ୍ମୀ ଏକ୍କା ଓ ତରନା ପ୍ରଧାନ ୨ ଲେଖାଏଁ ଏବଂ ସୁଶ୍ରୀ ଓ ଏସ୍‌ବି ଲରେନ୍‌ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଶତକୀୟ ପାଳି ଲାଗି ସରିତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।

Advertisment

ଏହା ବି ପଢ଼ନ୍ତୁ: ବିପର୍ଯ୍ୟୟରୁ ବର୍ତ୍ତିଲା ଇଂଲଣ୍ଡ: ୪ ରନ୍‌ରେ ହାରିଲା ନେପାଳ