Photograph: (KANAKNEWS)
କନକ ବ୍ୟୁରୋ: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଏକ ବିକଶିତ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟ ନେଇ କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀରେ ଓଡ଼ିଶା ସରକାର ବଡ଼ ସଫଳତା ହାସଲ କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କୋଲକାତା ଗସ୍ତ ସମୟରେ ବିଭିନ୍ନ କ୍ଷେତ୍ରର ନିବେଶକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏହି ସମ୍ମିଳନୀରେ ମୋଟ ୨୭ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ, ରାଜ୍ୟକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବାକୁ ଯାଉଛି । ଏଥିରେ ମୁଖ୍ୟତଃ କେମିକାଲ୍, ପେଟ୍ରୋକେମିକାଲ୍ସ, ମ୍ୟାନୁଫ୍ୟାକ୍ଚରିଂ ଏବଂ ଟେକ୍ସଟାଇଲ୍ ଭଳି କ୍ଷେତ୍ରରେ ବଡ଼ ପ୍ରକଳ୍ପମାନ ପ୍ରତିଷ୍ଠା ହେବ ।
ଅଧିକ ପଢନ୍ତୁ: ଛତିଶଗଡ ଯିବ ଓଡ଼ିଶା
ଏହି ବିପୁଳ ନିବେଶ କେବଳ ଶିଳ୍ପ ପ୍ରତିଷ୍ଠାରେ ସୀମିତ ରହିବ ନାହିଁ, ବରଂ ଓଡ଼ିଶାର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ବାଟ ଫିଟାଇବ । ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୯୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଦେଶାନ୍ତର, ଦାଦନ ସମସ୍ୟା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ନିବେଶକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବେ ପରିବର୍ତ୍ତନର ପଥରେ । ଭିଜନ ୨୦୩୬ (ଓଡ଼ିଶା ଗଠନର ୧୦୦ ବର୍ଷ) ଏବଂ "ଭିଜନ ୨୦୪୭" (ବିକଶିତ ଭାରତ ସଂକଳ୍ପ) ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନ ହେଉଛି ଆମର ମୁଖ୍ୟ ମାଧ୍ୟମ । ନିବେଶ ପାଇଁ ଓଡ଼ିଶାରେ ଏବେ ସର୍ବୋତ୍ତମ ପରିବେଶ ରହିଥିବା ସେ ଦର୍ଶାଇଛନ୍ତି । ଆମେ କେବଳ ନିବେଶ ଆଣୁନାହୁଁ, ବରଂ ନିବେଶକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ।
ଅଧିକ ପଢନ୍ତୁ: ସିଡିଏ ଜମିରେ ମହାକେଳେଙ୍କାରୀ
ରାଜ୍ୟରେ ଶିଳ୍ପ ଅନୁକୂଳ ନୀତି ଏବଂ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ ଯୋଗୁଁ ବଡ଼ ବଡ଼ କମ୍ପାନିମାନେ ଓଡ଼ିଶା ପ୍ରତି ଆଗ୍ରହ ଦେଖାଉଛନ୍ତି । ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ଶିଳ୍ପ ମାନଚିତ୍ରରେ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହେବ ।
Follow Us